ତେଲ ମାରିଦେବ ସଭିଁଙ୍କ ତେଲ…

ETBUREAU: ଯୁଦ୍ଧ… ଯୁଦ୍ଧ… ଯୁଦ୍ଧ… କେତେବେଳେ ବୋମା ପଡୁଛି ତ ଆଉ କେତେବେଳେ ହେଉଛି ମିସାଇଲ୍ ମାଡ଼ । ସବୁ ଗଣମାଧ୍ୟମରେ ଚାଲିଛି ଇରାନ, ଇସ୍ରାଏଲ ଓ ଆମେରିକାର ତାକତ ମପା । ହେଲେ ଏ ଯୁଦ୍ଧ ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଲାଣି । ଯୁଦ୍ଧକ୍ଷେତ୍ରଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇ… ପୁଣି ଯୁଦ୍ଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂପୃକ୍ତ ନଥିବା ଦେଶର ଲୋକେ ଯୁଦ୍ଧର ପ୍ରଭାବ ଗୁରୁତର ଭାବେ ଅନୁଭବ କଲେଣି । କାରଣ ଏ ଯୁଦ୍ଧ ସିଧାସଳଖ ଶକ୍ତି କ୍ଷେତ୍ରକୁ କରିଛି ପ୍ରଭାବିତ । ତେଲ ଓ ଗ୍ୟାସ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲୋକେ ଗ୍ୟାସ୍‌ ପାଇଁ ଲାଇନରେ ଛିଡ଼ା ହେଲେଣି । କିଛି ସ୍ଥାନରେ ପେଟ୍ରୋଲ ଓ ଡିଜେଲ୍‌ ସମସ୍ୟା ମଧ୍ୟ ଦେଖାଦେଲାଣି । ଏବେଠାରୁ ଯଦି ଯୁଦ୍ଧ ବନ୍ଦ ନହୁଏ… ଆଉ ତୈଳ ଓ ଗ୍ୟାସ୍ ଯୋଗାଣ ପୂର୍ବାବସ୍ଥାକୁ ନଫେରେ… ତେବେ କେତେଦିନ ଆମେ ଏମିତି ଘୁଷୁରିବା ! ଯଦି ଏ ଯୁଦ୍ଧ ବନ୍ଦ ନହୁଏ… ଯଦି ଏହା ତୃତୀୟ ବିଶ୍ବଯୁଦ୍ଧର ରୂପ ନିଏ… ତେବେ କଣ ହେବ ଆମ୍ଭମାନଙ୍କର ଅବସ୍ଥା ! ସୃଷ୍ଟି ରହିବ ନା ଧ୍ବଂସ ପାଇଯିବ !…

(୨) ସବୁ ଗଣମାଧ୍ୟମ ବିଭିନ୍ନ ଦେଶର ସାମରିକ ତାକତର ତୁଳନାତ୍ମକ ଚିତ୍ର ଦେଖାଉଛନ୍ତି । ମିସାଇଲ୍, ବୋମା, ଡ୍ରୋନର ଦମ ବଖାଣୁଛନ୍ତି । କିନ୍ତୁ ତେଲ ଓ ଗ୍ୟାସ କଥା କାହିଁକି କହୁନାହାଁନ୍ତି ! ତେଲ ଓ ଗ୍ୟାସ… Commodity ବା ସାମଗ୍ରୀ ହୋଇପାରେ ସତ, କିନ୍ତୁ ଏହା ହିଁ ହେଉଛି ଆଧୁନିକ ଦୁନିଆ, ଆଧୁନିକ ସମାଜ ଏବଂ ଆଧୁନିକ ସଭ୍ୟତାର Operating System । ବିନା ତେଲ ଓ ଗ୍ୟାସରେ ସବୁକିଛି ଅନ୍ଧାର… ସବୁକିଛି ଠପ । ଆମେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ପଛରେ ତେଲ ଓ ଗ୍ୟାସର ରହିଛି ପ୍ରମୁଖ ଓ ପ୍ରାଥମିକ ଭୂମିକା । ସେ ପୋଷାକ ହେଉ ବା ଖାଦ୍ୟଶସ୍ୟ… ହେଉ ଅବା ଔଷଧ… ସବୁକିଛିର ମୂଳରେ ରହିଛି ତେଲ ଓ ଗ୍ୟାସ । ପରିବହନ କଥା ଛାଡ଼ନ୍ତୁ, କିଛି କ୍ଷେତ୍ରରେ ପେଟ୍ରୋଲିୟମ୍ ପଦାର୍ଥର ପରିବର୍ତ୍ତିତ ରୂପାନ୍ତରର ବି ନିହାତି ଆବଶ୍ୟକ‌ତା ରହିଛି । କିନ୍ତୁ ଏବେର ଯୁଦ୍ଧ, ତେଲ ଓ ଗ୍ୟାସ ଉପରେ ପ୍ରଭାବ ପକାଇଥିବା ବେଳେ Cease ହେବାକୁ ବସିଛି Modern Civilisationa Operating System । କାରଣ ଏବେର ସଭ୍ୟତା ସମ୍ପୂର୍ଣ ତୈଳ ଆଧାରିତ ବା Petro-Economy based ।…

(୩) ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ବିଶ୍ଵ ତଣ୍ଟିକୁ ଚିପି ଧରିଲା ଭଳି ହର୍ମୁଜ୍ ଷ୍ଟ୍ରେଟକୁ ନିଜ କବଜାରେ ରଖିଛି ଇରାନ । ଏହି ଷ୍ଟ୍ରେଟ ଦେଇ ବିଶ୍ବର ୨୦ ପ୍ରତିଶତ ବା ଏକ ପଞ୍ଚମାଂଶ ତେଲ ରପ୍ତାନୀ ହୋଇଥାଏ । ଯାହା ଏବେ ପ୍ରଭାବିତ ହୋଇଛି । ଯୁଦ୍ଧ ସମ୍ପୂର୍ଣ ବନ୍ଦ ହେଲେ ହିଁ, ହର୍ମୁଜ୍ ଷ୍ଟ୍ରେଟକୁ ହୁଏତ Free କରିପାରେ ଇରାନ । କିନ୍ତୁ ନିକଟ ଭବିଷ୍ୟତରେ ଯୁଦ୍ଧ ଥମିଲା ଭଳି ଲାଗୁନି । ତେଲ ଦର ବ୍ୟାରେଲ୍ ପିଛା ୭୦ ଡଲାରରୁ ଶହେ ଡଲାର୍ ଡେଇଁ ସାରିଛି । ଯୁଦ୍ଧ ଜାରି ରହିଲେ, ଏହା ଆହୁରି ବଢ଼ିବ । ବ୍ୟାରେଲ୍‌ ଦେଢ଼ ଶହ, ୨ ଶହ ଟପି ଯାଇପାରେ । ଆଉ ସେତେବେଳେ ଜିନିଷପତ୍ରର ଦରଦାମରେ ହାତ ମାରିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ହେବନି ।…

(୪) ହର୍ମୁଜ୍ ଷ୍ଟ୍ରେଟ୍ ଦେଇ କେବଳ ତେଲ ରପ୍ତାନୀ ହୋଇ ନଥାଏ । ଆରବ ଦେଶଗୁଡ଼ିକ ସେମାନଙ୍କ ଖାଦ୍ୟର ୮୦ରୁ ୯୦ ପ୍ରତିଶତ ଏହି ଜଳପଥ ଦେଇ ନେଇଥାନ୍ତି । ପୁଣି ସମୁଦ୍ର ପାଣିର Desalination ମାଧ୍ୟମରେ ସେମାନଙ୍କ ପିଇବା ପାଣିର ୬୦ ପ୍ରତିଶତ ଭରଣା କରିଥାନ୍ତି । ଆମେରିକା ପାଇଁ କିଛି ଆରବ ଦେଶର Desalination Plantକୁ ଟାର୍ଗେଟରେ ରଖିଛି ଇରାନ । କାତାରର ଗୋଟେ Desalination Plantକୁ ଟାର୍ଗେଟ କରିଛି । ଦରକାର ପଡ଼ିଲେ ଅନ୍ୟ ଦେଶର Desalination Plantକୁ ମଧ୍ୟ ଟାର୍ଗେଟ କରିବ । ତେଣୁ ଏହି ଯୁଦ୍ଧ ଏକା ଥରକେ ଅଧିକାଂଶ ଆରବ ଦେଶରେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ବଢ଼ାଇବ । ଏବେ କିଛି ମାତ୍ରାରେ ଅନୁଭବ ହେଲାଣି, କିନ୍ତୁ ଯୁଦ୍ଧ ଯଦି ଲାଗିରହେ, ତେବେ ସ୍ଥିତି ଆହୁରି ସାଂଘାତିକ ହେବ । ସେପଟେ ତେଲ ରପ୍ତାନୀ ହୋଇ ନପାରିଲେ, ଆରବ ଦେଶଗୁଡ଼ିକ ଭୟଙ୍କର ଆର୍ଥିକ କ୍ଷତି ସହିବେ । ତୈଳ କଥା ଛାଡ଼ନ୍ତୁ, ହର୍ମୁଜ ଷ୍ଟ୍ରେଟ ଦେଇ ଭାରତ ତା ଆବଶ୍ୟକ‌ତାର ୯୦ ପ୍ରତିଶତ ଗ୍ୟାସ୍ ଆଣିଥାଏ । ଜାପାନ ତା’ ଆବଶ୍ୟକତାର ୮୦ ପ୍ରତିଶତ ତୈଳ ଏହି ଜଳପଥ ଦେଇ ନେଇଥାଏ ।…

(୫) ହର୍ମୁକ୍ ଷ୍ଟ୍ରେଟ ଦେଇ ୨୦ ପ୍ରତିଶତ ତୈଳ ଯାଇଥାଏ । ଯାହାକୁ ଏବେ ଇରାନ ନିୟନ୍ତ୍ରଣରେ ରଖିଛି । ଏହି ଜଳପଥ ଦେଇ ତୈଳ ଯୋଗାଣ ସମ୍ପୂର୍ଣ ବନ୍ଦ ହୋଇନି, ଆଂଶିକ ବନ୍ଦ ହୋଇଛି । ଯୋଗାଣ ଆଂଶିକ ପ୍ରଭାବିତ ହୋଇଛି, କିନ୍ତୁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏଭଳି ସ୍ଥିତିରେ ଇରାନ କହିଲାଣି ବାବ୍-ଏଲ୍-ମାଣ୍ଡେବ ଷ୍ଟ୍ରେଟକୁ ବନ୍ଦ କରିବ । ଏହି ଷ୍ଟ୍ରେଟ ଦେଇ ସାରା ବିଶ୍ୱକୁ ୧୨ ପ୍ରତିଶତ ତୈଳ ରପ୍ତାନୀ ହୋଇଥାଏ । ଭାବନ୍ତୁ ତ, ଯଦି ହର୍ମୁଜ୍ ଓ ବାବ୍-ଏଲ୍-ମାଣ୍ଡେବ ଷ୍ଟ୍ରେଟକୁ ଇରାନ ସମ୍ପୂର୍ଣ ବନ୍ଦ କରିଦିଏ… ବିଶ୍ବର ୩୨ ପ୍ରତିଶତ ତୈଳ ଯୋଗାଣ ଯଦି ବନ୍ଦ ହୋଇଯାଏ… ତେବେ କଣ ହେବ ପରିସ୍ଥିତି !…

(୬) ୧୯୭୩ର ଯୁଦ୍ଧ ଓ ୨୦୨୬ର ଯୁଦ୍ଧ ମଧ୍ୟରେ ରହୁଛି ବହୁତ ସାମଞ୍ଜସ୍ୟ । ସେତେବେଳେ ବିଶ୍ଵର ଲୋକସଂଖ୍ୟା ଏତେ ନଥିଲା କି ସଭ୍ୟତା ବର୍ତ୍ତମାନ ଭଳି ବିକଶିତ ହୋଇ ନଥିଲା । କିନ୍ତୁ ଆମେରିକାର ଘଣ୍ଟି ବାଜି ଯାଇଥିଲା । ତୈଳ ସଙ୍କଟ ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଆମେରିକା । କିନ୍ତୁ ସେତେବେଳେ ଥିଲେ ହେନରୀ କିସିଞ୍ଜର । ଆମେରିକାର ସେତେବେଳର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ପ୍ରଶାସନରେ ବୈଦେଶିକ ସଚିବ ଥିଲେ କିସିଞ୍ଜର । ସେ ହିଁ ଯୁଦ୍ଧର ଅବସାନ ଘଟାଇଥିଲେ… ଏମିତି ଏକ ପେଟ୍ରୋଡଲାର୍ ବ୍ୟବସ୍ଥା ସୃଷ୍ଟି କରିଥିଲେ, ଯାହା ୫୩ ବର୍ଷ ଧରି ସବୁକୁ ଠିକଠାକ ଚଳାଇ ଆସୁଥିଲା । ହେନରୀ କିସିଞ୍ଜର ସୃଷ୍ଟି କରିଥିବା ସେହି ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଥିବା ବେଳେ ବିଶ୍ୱ Frameରେ ତାଙ୍କ ଭଳି ବ୍ୟକ୍ତିତ୍ୱ କିମ୍ବା ନେତୃତ୍ୱ ଜଣେ ଦେଖିବାକୁ ମିଳୁ ନାହାଁନ୍ତି । ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତ ସେତେଟା ଭଲ ଦିଶୁନି । ଆଉ କାହିଁକି କେଜାଣି ମନେ ପଡ଼ି ଯାଉଛି ବୈଜ୍ଞାନିକ ତଥା ଦାର୍ଶନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସେହି ମନ୍ତବ୍ୟ । ଆଇନଷ୍ଟାଇନ୍ ସେତେବେଳେ କହିଥିଲେ, ତୃତୀୟ ବିଶ୍ୱଯୁଦ୍ଧ କେମିତି ହେବ, କେଉଁ ଅସ୍ତ୍ରଶସ୍ତ୍ରରେ ହେବ ସେ କହିପାରିବେ ନାହିଁ… କିନ୍ତୁ ଚତୁର୍ଥ ବିଶ୍ୱଯୁଦ୍ଧ ଠେଙ୍ଗାବାଡ଼ି ଓ ଢେଲା, ପଥରରେ ହେବ । ତା ମାନେ … କଣ ଆମେ କେହି ନଥିବା… ଏ ସଭ୍ୟତା ନଥିବ… ଭିନ୍ନ ଏକ ନୂଆ ସଭ୍ୟତାର ଅଭ୍ୟୁଦୟ ହୋଇଥିବ… ଦୁନିଆ କଣ ପୁଣି ସେହି Stone Age ବା ପ୍ରସ୍ତର ଯୁଗକୁ ଚାଲିଯିବ କି !…

Leave a Reply

Your email address will not be published. Required fields are marked *