ରାଜନୀତି ଓ ରାଜନେତାଙ୍କ ସପନ ଦେଖା…

ସ୍ବପ୍ନ ବା ସପନ… ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ । ହେଲେ ରାଜନେତାଙ୍କ ସ୍ବପ୍ନ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନେ କେବେ ବି ତାଙ୍କ ନିଜ ପାଇଁ ସ୍ବପ୍ନ ଦେଖନ୍ତି ନାହିଁ । ସେମାନଙ୍କ ସ୍ବପ୍ନ ସବୁବେଳେ ସେମାନଙ୍କ ଅଞ୍ଚଳ, ରାଜ୍ୟ ଓ ଦେଶର ବିକାଶ ସହ ଜଡ଼ିତ ଥାଏ । ଭବିଷ୍ୟତ ସହ ଜଡ଼ିତ ଥାଏ । ଏମିତି ପୁଳା ପୁଳା ପ୍ରତିଶ୍ରୁତିର ଲୋଭ ବା ସ୍ବପ୍ନ ଦେଖାଇ, ନେତାଏ କେବଳ ଜନତାଙ୍କୁ ଭକୁଆ ବନାଇ ଚାଲିଛନ୍ତି । ଏଇ ଯେମିତି ବିଜୁ ବାବୁଙ୍କ ସ୍ବପ୍ନକୁ ବିକି ଓଡ଼ିଶାରେ ୨୪ ବର୍ଷ ଶାସନ କଲା ବିଜେଡି । କିନ୍ତୁ ଏବେ ବି ବିଜେଡି ନେତାଏ କହୁଛନ୍ତି, ରାଜ୍ୟ ପାଇଁ ବିଜୁ ବାବୁ ଦେଖିଥିବା ଆହୁରି ଅନେକ ସ୍ବପ୍ନ କାଳେ ଅଧୁରା ରହିଯାଇଛି ।…

ନୀତୀଶ କୁମାର କିନ୍ତୁ ବିହାର ପାଇଁ ଦେଖିଥିବା ସ୍ବପ୍ନକୁ ଅଧୁରା ହେବାକୁ ଦେବେନି । ପଣ କରିଛନ୍ତି ଏହି ଜୀବ ଦଶାରେ ହିଁ ପୂରଣ କରିବେ । ଯେଉଁଥି ପାଇଁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ସେ ରାଜ୍ୟସଭା ଯିବାକୁ ବାହାରିଛନ୍ତି । ଯେଉଁଦିନ ନୀତୀଶ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ, ସେହିଦିନ ସକାଳେ ତାଙ୍କ X Handleରୁ ଟ୍ବିଟ୍ ଆସିଥିଲା, ରାଜ୍ୟସଭା ଯିବାକୁ ତାଙ୍କର କାଳେ ଇଚ୍ଛା ବା ସ୍ବପ୍ନ ଥିଲା । ଯେଉଁଥି ପାଇଁ ରାଜ୍ୟ ଛାଡ଼ି ସେ ରାଜ୍ୟସଭା ଯିବାକୁ ବାହାରିଛନ୍ତି । ଏଥର ନିର୍ବାଚନ ବେଳେ ନୀତୀଶ କୁମାରଙ୍କୁ ମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ଚେହେରା କରି ନଥିଲା ବିଜେପି । ତାଙ୍କ ବଦଳରେ ନିଜ ଦଳର କୌଣସି ପ୍ରାର୍ଥୀଙ୍କୁ କରିବାକୁ ବି ସାହସ ଜୁଟାଇ ପାରି ନଥିଲା । ଯେଉଁଥି ପାଇଁ ପ୍ରଥମରୁ କେବଳ କହୁଥିଲା, ନୀତୀଶଙ୍କ ନେତୃତ୍ବରେ ଏନଡିଏ ବିହାରରେ ନିର୍ବାଚନ ଲଢୁଛି । କିନ୍ତୁ ତାହା ଭୋଟରଙ୍କ ମଧ୍ୟରେ ଗ୍ରହଣ ହେଲାନି । ବିଜେପି ଭାବିଲା, ଏଇଠି ବୋଧେ ବିହାରରେ ଏନଡିଏର କ୍ଷମତା ରିପିଟ୍ ସ୍ବପ୍ନ, ସ୍ବପ୍ନରେ ରହିଯିବ । ଯେଉଁଥି ପାଇଁ ପରେ ପୋଷ୍ଟର ଲାଗିଲା ‘ପଚିସ୍ ସେ ତିସ୍, ବିହାର ମେଁ ଫିର୍ ନୀତୀଶ୍’ … ଏବଂ ‘ନୀତୀଶ କୁମାର ବିହାର କା ମୁଖ୍ୟମନ୍ତ୍ରୀ ଥେ, ହୈ ଔର ରହେଙ୍ଗେ’ । ବାରମ୍ବାର ପଟ୍ଟ ପରିବର୍ତ୍ତନ ବେଳେ ମଧ୍ୟ ନୀତୀଶ କୁମାର କହି ଚାଲିଥିଲେ, ‘ମେଁ କହିଁ ନେହିଁ ଯାଉଙ୍ଗା, ୟହାଁ ରହୁଙ୍ଗା’ । ଏନଡିଏର ଏହି ପ୍ରତିଶ୍ରୁତି ବା ସ୍ବପ୍ନକୁ ଭରସା କରି ଲୋକେ ଭୋଟ ନାଦି ଦେଇଗଲେ । ଲୋକେ ଚିନ୍ତାକଲେ ବା ସ୍ବପ୍ନ ଦେଖିଲେ, ନୀତୀଶଙ୍କର ଏଇଟା ଶେଷ ଟର୍ମ ହୋଇପାରେ, ଶେଷ ଟର୍ମରେ ସେ ରାଜ୍ୟ ପାଇଁ କିଛି ଗୋଟେ ବଡ଼ କରିବେ ନିଶ୍ଚୟ । ଲୋକେ ଦେଖିବା ଆରମ୍ଭ କଲେ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ସ୍ବପ୍ନ ଦେଖିବା । ଯେଉଁ ଦାବିକୁ ନୀତୀଶ ସବୁବେଳେ ଦୋହରାଇ ଚାଲିଛନ୍ତି । ହେଲେ ବର୍ଷେ ନପୂରୁଣୁ ସେମାନଙ୍କ ମୁଖ୍ୟମନ୍ତ୍ରୀ, ରାଜ୍ୟ ଛାଡ଼ି ରାଜ୍ୟସଭା ଯିବାକୁ ଗୋଡ଼ ଟେକିଲେଣି ।…

ବିଧାନସଭା, ବିଧାନ ପରିଷଦ ଏବଂ ଲୋକସଭା… ସବୁ ନିର୍ବାଚନ ଲଢ଼ି ସାରିଛନ୍ତି ନୀତୀଶ କୁମାର । ସବୁ ଗୃହର ସଦସ୍ୟ ନିର୍ବାଚିତ ହୋଇ ସାରିଛନ୍ତି । କେବଳ ଯାହା ବାକି ରହିଯାଇଛି ରାଜ୍ୟସଭା ଯିବା । ଯେଉଁ ସ୍ବପ୍ନ ପୂରଣ ପାଇଁ ସେ ପାଟନାକୁ ପର କରି ଦିଲ୍ଲୀ ବାହାରିଛନ୍ତି । ଜେଡିୟୁ ନେତା ଓ କର୍ମୀମାନେ ଖାଲି ଅଯଥା ମନ ଉଣା କରି ହୋହାଲ୍ଲା କରୁଛନ୍ତି ଯାହା । ନୀତୀଶ, ନିଜ ସ୍ବପ୍ନ ପୂରଣ କରିବାକୁ ରାଜ୍ୟସଭା ବାହାରିଛନ୍ତି ନା ବିହାରର ନା ଅନ୍ୟ କାହାର ସ୍ବପ୍ନ ପୂରଣରେ ସହାୟ ହେବାକୁ ଯାଉଛନ୍ତି ! ତେଣୁ ଏଭଳି ସ୍ଥିତିରେ ସେ ବିହାରବାସୀଙ୍କୁ ଦେଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ସ୍ବପ୍ନ ପୂରଣ ହେବ ତ ! ନାଁ, ଏଇଠୁ ବୁଝିନେବାକୁ ହେବ ଯେ, ବିହାରରେ ଏବେଠୁ ପଡ଼ିଲା ସାମ୍ୟବାଦ ରାଜନୀତିର ସମାଧି !…

ବିହାର ଥିଲା ବିଜେପିର ଦୀର୍ଘ ବର୍ଷର ସ୍ବପ୍ନ । ବିଜେପି ନେତୃତ୍ବାଧୀନ ଏନଡିଏରେ ଥାଇ ୨୦୦୫ରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏବେ ଯାଏଁ ବିହାରର ମୁଖ୍ୟମନ୍ତ୍ରୀ । ସଂଖ୍ୟା ଥାଉ ବା ନଥାଉ… ପୁଣି କେତେବେଳେ ଆକୁ ଛାଡ଼ି ତାକୁ ଧରି ତ, ଆଉ କେତେବେଳେ ତାକୁ ଛାଡ଼ି ଆକୁ ଧରି, ନୀତୀଶ ହିଁ ଏଯାଏଁ ରହି ଆସିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ । ବିଜେପିର ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ କାଠି ପାଞ୍ଚଣ ଛୁଆଁଇ ଦେଇ ନାହାଁନ୍ତି ସେ । କିନ୍ତୁ ଏବେ ଏନଡିଏର True Blue Partner ହିସାବରେ ବିଜେପି କଥାରେ ରାଜ୍ୟସଭା ସ୍ବପ୍ନ ପୂରଣ କରିବାକୁ ବାହାରିଛନ୍ତି ।…

ସ୍ବପ୍ନ କଣ କେବେ ସରିଛି ! ସ୍ବପ୍ନ ପରା ଅସରନ୍ତି ! ତେଣୁ ନେତା ଓ ଜନତାଙ୍କ ସବୁ ସ୍ବପ୍ନ ବା ପୂରଣ ହୁଅନ୍ତା କେମିତି ! କିଛି କିଛି ଅଧୁରା ନରହିଲେ, ପରିବାର ରାଜନୀତି ବଞ୍ଚି ରହିବ ଟି ! Mercy Vote କଣ ଭାରତର ନିର୍ବାଚନୀ ଇତିହାସରୁ ମରିଯିବ ! ନିର୍ବାଚିତ ଲୋକ ପ୍ରତିନିଧି ଜଣକ ମରିଗଲେ, ତାଙ୍କ ପରିବାରର ସଦସ୍ୟଙ୍କୁ ନେଇ କେମିତି ନିର୍ବାଚନ ହେଉଛି ଏବଂ ଲୋକେ କେମିତି Mercy Vote ନାଦି ଦେଉଛନ୍ତି, ତାହା କଣ ଆମେ ଦେଖୁନେ ! ସେତେବେଳେ ଗୋଟେ Common ଭାଷଣ ହେଉଛି, ‘ଏ ଅଞ୍ଚଳ ପାଇଁ ବାପା ଅନେକ ସ୍ବପ୍ନ ଦେଖିଥିଲେ । ଆପଣମାନେ ମୋତେ ଭୋଟ ଦେଇ ଜିତାଇଲେ, ମୋ ବାପାଙ୍କ ଅଧୁରା ସ୍ବପ୍ନକୁ ମୁଁ ପୂରଣ କରିବି । ଏ ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଯିବି ।’…

ଲୋକେ ସିନା Mercy Vote କୁଟି ଦିଅନ୍ତି, କିନ୍ତୁ ନିର୍ବାଚିତ ହେବା ପରେ ଲୋକ ପ୍ରତିନିଧି ଜଣକ ଲୋକଙ୍କ ପ୍ରତି ଆଉ ସେତେଟା Mercy ରଖନ୍ତି ନାହିଁ । ରାଜନୀତିରେ ଏଇଟା ସ୍ବାଭାବିକ । ସବୁ ସ୍ବପ୍ନ ଯେ, ପୂରଣ ହେବ ତାର କିଛି ଗ୍ୟାରେଣ୍ଟି ନାହିଁ । ବିଜେପି କିନ୍ତୁ ଦେଶବାସୀଙ୍କୁ ଦେଇଥିବା ଦୀର୍ଘ ଦିନର ସେହି ବଡ଼ ସ୍ବପ୍ନଟିକୁ ପୂରଣ କରି ଦେଇଛି । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ହୋଇ ସାରିଛି । କିନ୍ତୁ ବିଦେଶରୁ କଳା ଟଙ୍କା ଆସିବ… ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଯିବ… ବର୍ଷକୁ ୨ କୋଟି ନିଯୁକ୍ତି ମିଳିବ… ଦେଶବାସୀଙ୍କୁ ଦିଆ ଯାଇଥିବା ଏସବୁ ପ୍ରତିଶ୍ରୁତି ବା ସ୍ବପ୍ନ କିନ୍ତୁ ବର୍ତ୍ତମାନ ଯାଏଁ ଅଧୁରା ରହିଯାଇଛି । ତେବେ ଏସବୁ ସ୍ବପ୍ନ ପାଇଁ ରାତି ଶେଷ ନହେଉଣୁ, ଏବେ ଲୋକେ ଦେଖିଲେଣି ବିକଶିତ ଭାରତର ସ୍ବପ୍ନ ।…

କଥାରେ ଅଛି କାଲି, କିଏ ଦେଖିଛି ! କିନ୍ତୁ ଆମେ ଏଠି କାଲିକୁ ଗତକାଲି ଧରି ନେଉଛେ । ଆସନ୍ତାକାଲି ବଦଳରେ କେବଳ ଆକାଶବ୍ୟାପୀ ଭବିଷ୍ୟତକୁ ଦେଖୁଛେ । ଏଇ ଯେମିତି ଆମେରିକାବାସୀଙ୍କୁ Make America Great Again ବା MAGAର ସ୍ବପ୍ନ ଦେଖାଇ, ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଉ ସେହି Mission ପୂରଣ କରିବା ପାଇଁ ଇରାନ ବିରୋଧରେ ଯୁଦ୍ଧକ୍ଷେତ୍ରକୁ ଡେଇଁ ସାରା ବିଶ୍ବକୁ କରୁଛନ୍ତି ଥରହର । The Great Israel ବନାଇବାର ସ୍ବପ୍ନ ଦେଖୁଥିବା ବେଞ୍ଜାମିନ ନେତାନ୍ୟାହୁଙ୍କ କଥାରେ ଇରାନ ବିରୋଧରେ ଯୁଦ୍ଧକ୍ଷେତ୍ରକୁ ଡେଇଁଛନ୍ତି ସେ । ହେଲେ ଉଭୟ ଟ୍ରମ୍ପ ଓ ନେତାନ୍ୟାହୁଙ୍କର ଏ ସ୍ବପ୍ନ ପୂରଣ ହେଲା ଭଳି ସେତେଟା ସହଜ ଲାଗୁନି । ଏଭଳି ସ୍ଥିତିରେ, ଆମେରିକାକୁ ବିଶ୍ବର ଏକ ନମ୍ବର ପଦରୁ ହଟାଇବାକୁ ଚାହୁଁଥିବା ରୁଷିଆ ଓ ଚୀନର ସ୍ବପ୍ନ ପୂରଣ ହୋଇଯିବନି ତ !…

ଟ୍ରମ୍ପ କିନ୍ତୁ ଛାଡ଼ିଲା ଭଳି ଲାଗୁ ନାହଁନ୍ତି । ଆରବ ଦେଶରେ ଥିବା ଆମେରିକାର ସାମରିକ ଆଡ୍ଡା ଉପରେ ଆକ୍ରମଣ ପାଇଁ, ଇରାନ ଦୁଃଖ ପ୍ରକାଶ କରିଛି । ଆଉ କିହିଛି, ସେସବୁ ଦେଶରୁ ଯେମିତି ଇରାନ ଉପରେ କୌଣସି ପ୍ରକାର ପରୋକ୍ଷ ଆକ୍ରମଣ ନହୁଏ । ଯଦି ହେଲା, ଇରାନ ପୁଣି ଜବାବ ଦେବ । ଟ୍ରମ୍ପ କିନ୍ତୁ ଇରାନର ଏହି ମନ୍ତବ୍ୟକୁ Twist କରି ବୁଝିଛନ୍ତି । ଆଉ କହିଛନ୍ତି, ଇରାନ କାଳେ ଆରବ ଦେଶଗୁଡ଼ିକ ଆଗରେ ଆତ୍ମ ସମର୍ପଣ କଲା । ତେଣୁ ଏବେ ଆମେରିକା ଓ ଇସ୍ରାଏଲ ପାଖରେ ନିସର୍ତ୍ତ ଆତ୍ମ ସମର୍ପଣ କରିବା ଦାବି କରିଛନ୍ତି ସେ । ନଚେତ୍ ଇରାନ ଇପରେ ଆକ୍ରମଣ ଆହୁରି ଜୋରଦାର କରିବାକୁ ଧମକ ଦେଇଛନ୍ତି । ଯାହାର ଜବାବରେ ଇରାନ ରାଷ୍ଟ୍ରପତି ମସୁଦ୍ ପେଜେସ୍କିଆନ୍ କହିଛନ୍ତି, ଟ୍ରମ୍ପଙ୍କ ଏହି ସ୍ବପ୍ନ କାଳେ, ଟ୍ରମ୍ପଙ୍କୁ କବର ଯାଏଁ ନେଇଯିବ ।…

ଇରାନର ତାକତ ମାପିବାରେ ବୋଧ ହୁଏ, ଇସ୍ରାଏଲ୍ ଓ ଆମେରିକାର କେଉଁଠି ତ୍ରୁଟି ରହିଗଲା ! ମୋସାଦ୍ ଏବଂ CIAର ତଥ୍ୟ ସାଉଣ୍ଟା ବୋଧ ହୁଏ ସଠିକ ହୋଇ ପାରିଲାନି ! ଯେଉଁଥି ପାଇଁ ଇରାନକୁ ନେଇ ଆମେରିକା ଓ ଇସ୍ରାଏଲର ପ୍ରଥମ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସୁପ୍ରିମ ଲିଡର୍ ଖାମିନେଇଙ୍କ ହତ୍ୟା ପରେ, ଦୁଇ ଦେଶ ଭାବିଥିଲେ ଯେ, ଇରାନରେ ସତ୍ତା ପରିବର୍ତ୍ତନ ସେମାନଙ୍କ ପାଇଁ ସହଜ ହୋଇଯିବ, କିନ୍ତୁ ତାହା ଆଦୌ ସେମିତି ଲାଗୁନି । ତେଣୁ ଏଇଠି ଧୂଳିସାତ ହୋଇଗଲା, ଖାମିନେଇ ହତ୍ୟା ପରର ପ୍ରଥମ ସ୍ବପ୍ନ । ଏଭଳି ସ୍ଥିତିରେ ବିଶ୍ବବାସୀ ଦେଖୁଥିବା ସେହି ଖରାପ ସ୍ବପ୍ନ, ତୃତୀୟ ବିଶ୍ବଯୁଦ୍ଧ ସତ ହୋଇଯିବନି ତ !…

ଇଂରେଜଙ୍କୁ ତଡ଼ି ଭାରତରେ ରାମ ରାଜ୍ୟ ପ୍ରତିଷ୍ଠାର ସ୍ବପ୍ନ ଦେଖିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଯେଉଁ ସ୍ବପ୍ନକୁ ଏବେ ବି ସବୁ ରାଜନୈତିକ ଦଳ ବିକି ଉଣା ଅଧିକେ ରାଜନୀତି ଚଳାଇଛନ୍ତି । ବିଜେପି କିନ୍ତୁ ତାର ସବୁଠାରୁ ବଡ଼ ସ୍ବପ୍ନ- ‘କଂଗ୍ରେସ ମୁକ୍ତ ଭାରତ’ ପୂରଣ କରିବାକୁ ଲାଗି ପଡ଼ିଛି । ଦଳ କଂଗ୍ରେସ ଯୁକ୍ତ ହୋଇଯାଉ ପଛେ, ବିଜେପି କିନ୍ତୁ ଭାରତକୁ କରିବ କଂଗ୍ରେସ ମୁକ୍ତ । ଏଭଳି ସ୍ଥିତିରେ କ୍ଷମତାକୁ ଫେରିବାକୁ ଟାକି ବସିଥିବା କଂଗ୍ରେସର ସ୍ବପ୍ନ, ସ୍ବପ୍ନରେ ରହିଯିବନି ତ !…

Leave a Reply

Your email address will not be published. Required fields are marked *