ETBUREAU: ଯୁଦ୍ଧ କଣ ଆଉ ହେବ, ନା ଏଇଠୁ ଧୀରେ ଧୀରେ ବନ୍ଦ ହୋଇଯିବ ! ଟ୍ରମ୍ପ ଆଉ ତମ୍ପ ଦେଖାଇବେ ନା ବାମ୍ଫ ନେଇ ଏଇଠୁ ଫେରିଯିବେ ! ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ୍ ଯୁଦ୍ଧ ଜିତିଗଲେ କି ! ଟ୍ରମ୍ପଙ୍କ Make America Great Again ଟାର୍ଗେଟ ପୂରଣ ହୋଇଗଲା ତ ! ନେତାନ୍ୟାହୁଙ୍କ The Great Israel ସ୍ୱପ୍ନ ବାସ୍ତବ ହେଲା ତ ! ଆମେରିକା ଓ ଇସ୍ରାଏଲ ମିଶିକରି ଇରାନରେ ସେମାନଙ୍କ ମନ ପସନ୍ଦର ସରକାର ବସାଇଲେ ତ ! କଣ ହେଲା ଟ୍ରମ୍ପଙ୍କ ଖାର୍ଗ ଆଇଲାଣ୍ଡ କବଜା କରିବା ଯୋଜନା ! ହର୍ମୁଜ ଷ୍ଟ୍ରେଟକୁ ଇରାନ କବଜାରୁ ଟ୍ରମ୍ପ ମୁକ୍ତ କରିଦେଲେ ତ ! କାହିଁକି ଯୁଦ୍ଧକୁ ଓହ୍ଲାଇଥିଲା ଆମେରିକା ? କାହିଁକି ଏମିତି ବାଉଳା ଚାଉଳା ନିଷ୍ପତ୍ତି ନେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ? ଇସ୍ରାଏଲ କଥାରେ କାହିଁକି ଆମେରିକାକୁ ଭସାଇ ଦେଲେ ? ଟ୍ରମ୍ପ, ଆମେରିକାକୁ ଯୁଦ୍ଧରୁ ସମ୍ପୂର୍ଣ୍ଣ ଓହରାଇ ନେଲେ ନା, ପୁଣି Hit Back କରିବେ ! ସେ ଦେଶବାସୀଙ୍କୁ ସମ୍ବୋଧନ ସେମିତି କିଛି ଇଙ୍ଗିତ କରୁଛି । ଇରାନ ସହ Deal ନେଇ କୌଣସି ବଳିଷ୍ଠ ଭରସା ମିଳିନି । Deal ହୋଇଯିବ ବୋଲି ସେ ଆଶା ରଖିଛନ୍ତି । ଆଉ ଯଦି ନହୁଏ, ତେବେ ପୁଣି ଇରାନକୁ Hit Back କରିବାକୁ ଚେତାବନୀ ଦେଇଛନ୍ତି ।
(୨) ଟ୍ରମ୍ପ କେବଳ ଆମେରିକାକୁ ଭସାଇ ଦେଇ ନାହାଁନ୍ତି, ବରଂ ସାରା ବିଶ୍ୱ ଆଗରେ Dump କରି ଦେଇଛନ୍ତି । ଏବେ ଆମେରିକାକୁ Super Power କହିବା ଠିକ ହେବ ତ ! ଡଲାରକୁ ଟ୍ରମ୍ପ ସବଳ କଲେ ନା ଆହୁରି ଦୁର୍ବଳ କରିଦେଲେ ! ନାଟୋର ଅବସ୍ଥା କଣ ହେବ ! ନାଟୋ ଏଇଠୁ ନଷ୍ଟ ହୋଇଗଲା ବୋଲି ଧରିବାକୁ ହେବ କି ! ଭେନେଜୁଏଲାରେ ନଗଦ ଦମ୍ ଦେଖାଇବା ପରେ, ଇସ୍ରାଏଲ କଥାରେ ଇରାନ ଉପରେ ଝାମ୍ପ ମାରିଥିଲା ଆମେରିକା । କିନ୍ତୁ ଯୁଦ୍ଧର ୩୨ ଦିନ ପରେ ଟ୍ରମ୍ପ ଦେଲେ ଭିନ୍ନ ସଙ୍କେତ । ଇରାନକୁ ମିଳିତ ଆକ୍ରମଣ କରି ହର୍ମୁଜ ଷ୍ଟ୍ରେଟକୁ ସମ୍ପୂର୍ଣ ମୁକ୍ତ କରିବାକୁ ସବୁ ୟୁରୋପୀୟ ଦେଶକୁ Appeal କରିଥିଲେ ଆମେରିକା ରାଷ୍ଟ୍ରପତି । କିନ୍ତୁ କେହି ଆସିଲେନି । ଯେଉଁଥି ପାଇଁ ଟ୍ରମ୍ପ କହିଛନ୍ତି, ତାଙ୍କର ହର୍ମୁଜ ଷ୍ଟ୍ରେଟରେ କିଛି କାମ ନାହିଁ । ‘ଯେଉଁ ଦେଶର ତେଲ ଦରକାର, ସେ ଦେଶ, ତା ନିଜ କଥା ନିଜେ ବୁଝୁ । ଆମେରିକା ଏଥିରେ କାହା ପାଇଁ ମୁଣ୍ଡ ପୂରାଇବନି’ । ସେପଟେ ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଠ୍ ବି ସେମିତି କିଛି କହିଛନ୍ତି । ‘ଆମେରିକା, ଇରାନର ସବୁକିଛି ନଷ୍ଟ କରି ଦେଇଛି । ଇରାନରେ ଆଉ କିଛି ନାହିଁ । ତେଣୁ ଆମେରିକାର ଆଉ କିଛି କରିବାର ନାହିଁ’ । ଟ୍ରମ୍ପ ଓ ହେଗସେଠଙ୍କ ଏଭଳି ମନ୍ତବ୍ୟ କଣ ସୂଚାଉଛି ! କଣ, ଏଇଠୁ ଯୁଦ୍ଧରୁ ଓହରିଯିବ କି ଆମେରିକା ! ଟ୍ରମ୍ପ ଓ ହେଗସେଠଙ୍କ ମନ୍ତବ୍ୟ କିଛି ସେମିତି ହିଁ ସୂଚାଉଛି ।…
(୩) ଟ୍ରମ୍ପ ଓ ହେଗସେଠଙ୍କ ମନ୍ତବ୍ୟ ଯଦି ଠିକ ସଙ୍କେତ ଦେଉଛି, ତେବେ ଆମେରିକା, ଇରାନ ବିରୋଧରେ ଯୁଦ୍ଧ ଜିତିଲା ବୋଲି ଆମେ କହିପାରିବା କି ! କଦାପି ନୁହେଁ, କାରଣ ଇରାନରେ ଆୟାତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ମୃତ୍ୟୁ ସହ ହୋଇଛି ସତ୍ତା ପରିବର୍ତ୍ତନ । କିନ୍ତୁ ବର୍ତ୍ତମାନର ସତ୍ତା, ଆମେରିକା କିମ୍ବା ଇସ୍ରାଏଲଙ୍କ ମନ ପସନ୍ଦର ସତ୍ତା ନୁହେଁ । ବରଂ ଇରାନର ନୂଆ ସତ୍ତା, ପୂର୍ବ ସତ୍ତାଠାରୁ ଅଧିକ ଭଗ୍ର ହୋଇ କରିଛି ପ୍ରତି ଆକ୍ରମଣ । ତେଣୁ ଆମେରିକାର ଟାର୍ଗେଟ ପୂରଣ ହୋଇନି ମାନେ, ଆମେରିକା ଏହି ଯୁଦ୍ଧ କେବେ ବି ଜିତି ପାରିନି । ବରଂ ଆମେରିକା ହାରିଛି, ଆତ୍ମ ସମର୍ପଣ କରିଛି… ଆଉ ଏବେ ଲାଙ୍ଗୁଡ଼ ଜାକି ଯୁଦ୍ଧକ୍ଷେତ୍ରରୁ ପଳାଇବାକୁ ବସିଛି ।…
(୪) ଆମେରିକାର ସାମରିକ ତାକତ ସାରା ବିଶ୍ଵରେ ଶକ୍ତିଶାଳୀ । ଯେଉଁଥି ପାଇଁ ତାକୁ Super Power ବୋଲି କୁହାଯାଏ । ଦ୍ବିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେରିକା ବିଶ୍ଵରେ ସୁପର ପାୱାର ହୋଇ ରହିଆସିଛି । କିନ୍ତୁ ଏବେ ସେହି Super Poer, Super Flop ହୋଇ Powder ହୋଇଗଲା କହିଲେ ଭୁଲ ହେବନି । ଏହାର ଏକମାତ୍ର କାରଣ- ଇରାନର ତାକତ କଳିବାରେ ଭୟଙ୍କର ଭୁଲ କରିଦେଲେ ରାଷ୍ଟ୍ରପତି ଟ୍ରମ୍ପ । ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ସାଉଁଟା ତଥ୍ୟ, ଆମେରିକାକୁ ବିଶ୍ଵ ଦରବାରରେ ବରବାଦ କରିଦେଲା । ଆମେରିକା Super Power ନୁହେଁ… ଏହା ଯେ, ଏକ କାଗଜ ବାଘ… ଯାହା ପ୍ରମାଣିତ ହୋଇଗଲା ।…
(୫) ଆମେରିକାର ବାୟୁ ସେନା, ନୌସେନା ଏବଂ ସ୍ଥଳ ସେନା ପାଖରେ ଇରାନର ଏସବୁ କିଛି ନୁହେଁ । ଇରାନ କେବଳ ଗୋଟେ ବାଣୁଆ… ଅର୍ଥାତ ମିସାଇଲରେ Expert । ତେବେ ଆମେରିକାର ସାମରିକ ଶକ୍ତି ଅତି ଉନ୍ନତ ମାନର ବୈଷୟିକ ଜ୍ଞାନକୌଶଳ ଯୁକ୍ତ ହୋଇଥିଲେ ମଧ୍ୟ ଇରାନ ଆଗରେ ଏକ ପ୍ରକାର ହାର ମାନିଛି । ଏହାର ଏକମାତ୍ର କାରଣ, ବିନା ସ୍ବତନ୍ତ୍ର ରଣନୀତିରେ ରାଷ୍ଟ୍ରପତି ଟ୍ରମ୍ପ, ଆମେରିକାକୁ ଯୁଦ୍ଧକ୍ଷେତ୍ରକୁ ଡିଆଁଇ ଦେଲେ । ଇରାନ କିନ୍ତୁ ପୂରା ରଣନୀତି ଅନୁସାରେ ପ୍ରତି ଆକ୍ରମଣ କରିଛି । ପ୍ରଥମେ ଆମେରିକାର ଆଖି କୁହା ଯାଉଥିବା Air Defence System ଏବଂ ରାଡାରକୁ ନଷ୍ଟ କଲା । ୧୩ଟି ଦେଶରେ ଆମେରିକାର ଏୟାରବେସକୁ ସମ୍ପୂର୍ଣ ବରବାଦ କରି ଦେଇଛି । ଏସବୁ ଦେଶରେ ଥିବା ଆମେରିକାର ୧୪ ହଜାର ସାମରିକ ଅଧିକାରୀ ଓ କର୍ମଚାରୀ ଏବେ ହୋଟେଲରେ ରହୁଛନ୍ତି ।…
(୬) ଆମେରିକାର ସେନା କେବେ ବି ନିଜ ଦେଶ ପାଇଁ ଲଢ଼ିନି । ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ବି ଲଢ଼ିନି । ଗଣତନ୍ତ୍ର, ସମ୍ବିଧାନ… ଯାହା ହୋଇଗଲେ ବି ସେଥିରେ ମୁଣ୍ଡ ପୂରାଇନି ଆମେରିକାର ସେନା । କିନ୍ତୁ ଅଧିକାଂଶ ସମୟ ଯୁଦ୍ଧ କ୍ଷେତ୍ରରେ ଆମେରିକା ସେନା । ଅନ୍ୟ ଦେଶ ଉପରେ ଆକ୍ରମଣ କରି ସେଠାକାର ସରକାରକୁ ଭାଙ୍ଗିବା, ଶାସନ ମୁଖ୍ୟଙ୍କୁ ହତ୍ୟା କରିବା, କାହାକୁ ଅପହରଣ କରିବା, ସେହି ଦେଶରେ ଥିବା ତେଲ ଓ ଅନ୍ୟ ଖଣିଜ ସମ୍ପଦକୁ ଅକ୍ତିଆର କରିବା… ଏସବୁ କାମରେ ଆମେରିକା ସେନା ପ୍ରାୟ ସମୟ ଲାଗିଥାଏ । ହେଲେ ଇରାନ ପ୍ରମାଣିତ କରିଦେଲା, ଆମେରିକା ବାଘ ନୁହେଁ, ଏହା ଗୋଟେ କାଗଜ ବାଘ । ସେପଟେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଗୋଟେ ଭିନ୍ନ ଡେଭଲପମେଣ୍ଟ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ନାଟୋ କିମ୍ବା ୟୁରୋପୀୟ ଦେଶ, ଏହି ଯୁଦ୍ଧରେ ଆମେରିକାର ସାଥ ଦେବାକୁ ସଫା ସଫା ମନା କରିଦେଲେ । ଯାହାର ଜ୍ବଳନ୍ତ ଉଦ୍ଦାହରଣ ବ୍ରିଟେନ୍ ଓ ଫ୍ରାନ୍ସ । ଏହି ଦୁଇ ଦେଶ, ଆମେରିକାକୁ ସେମାନଙ୍କ ଆକାଶ ମାର୍ଗ କିମ୍ବା Airbase ବ୍ୟବହାର କରିବାକୁ ସିଧା ମନା କରିଦେଲେ ।…
(୭) ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିବେ କଣ ! ନଭେମ୍ବରରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ । ଯଦି ତାଙ୍କ ରିପବ୍ଲିକାନ ପାର୍ଟି ହାରିଲା, ତେବେ ଟ୍ରମ୍ପଙ୍କ ବିରୋଧରେ ମହଭିଯୋଗ ଆସିବା ଥୟ । ଆଉ ସେ ରାଷ୍ଟ୍ରପତି ପଦରୁ ହଟିବା ଏକ ପ୍ରକାର ବି ଥୟ । ପୁଣି ସେ ଜେଲ୍ ଯିବା ଜଳ ଜଳ ହୋଇ ଦିଶିଲାଣି ।…
(୮) କହିବାକୁ ଗଲେ ଡୋନାଲ୍ଡ ଟ୍ରମ୍ପ, ଆମେରିକା ପାଇଁ ଆଉ ଜଣେ ରିଚାର୍ଡ ନିକ୍ସନ ପ୍ରମାଣିତ ହୋଇଛନ୍ତି । ୧୯୭୩ରେ ଯେତେବେଳେ ଇସ୍ରାଏଲ ବିରୋଧରେ ଇଜିପ୍ଟ ଏବଂ ସିରିଆ ଆକ୍ରମଣ କରିଥିଲେ, ସେତେବେଳେ ଇସ୍ରାଏଲକୁ ସମର୍ଥନ କରିଥିଲା ଆମେରିକା । ସାଉଦି ଆରବର ବାରଣ କରିବା ସତ୍ତ୍ବେ ସେତେବେଳର ରାଷ୍ଟ୍ରପତି ରିଚାର୍ଡ ନିକ୍ସନ, ଆମେରିକାକୁ ଯୁଦ୍ଧ କ୍ଷେତ୍ରକୁ ଡିଆଁଇ ଦେଇଥିଲେ । ଯାହ ସେତେବେଳେ ଆମେରିକା ପାଇଁ ଅତି ମାତ୍ରାରେ ବୁମେରାଂ ହୋଇଥିଲା । ଆମେରିକା ବରବାଦର ଦ୍ବାର ଦେଶକୁ ଚାଲି ଯାଇଥିଲା । କିନ୍ତୁ ରକ୍ଷା କରି ଦେଇଥିଲେ ସେତେବେଳେ ବିଦେଶ ସଚିବ ଥିବା ହେନରୀ କିସିଞ୍ଜର । ଆରବ ଦେଶଙ୍କ ସହ କଥାବାର୍ତ୍ତା କରି ୧୯୭୪ରେ ଯୁଦ୍ଧ ବନ୍ଦ କରାଇଥିଲେ । କେବଳ Diplomatically Dollarକୁ Save କରି ନଥିଲେ, ବରଂ ଆମେରିକା ସପକ୍ଷରେ ଏମିତି ଏକ System Develop କରାଇଥିଲେ, ଯାହା ଆମେରିକାକୁ ୨୦୨୬ ଫେବ୍ରୁଆରି ୨୮ ଯାଏଁ ଉଭୟ ଆର୍ଥିକ ଓ ସାମରିକ ଦୃଷ୍ଟିକୋଣରୁ ସୁପର ପାୱାର କରି ରଖିଥିଲା । ୫୨ ବର୍ଷର ସେହି Systemକୁ ଏବେ ନଷ୍ଟ କରିଦେଲେ ରିଚାର୍ଡ ନିକ୍ସନଙ୍କ ସ୍ଥାନରେ ଥିବା ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।…
(୯) ୧୯୭୩ର ଯୁଦ୍ଧରେ ମଧ୍ୟ ଏବେର ଟ୍ରମ୍ପ ପ୍ରଶାସନ ଭଳି ନିଷ୍ପତ୍ତି ନେଇଥିଲା ସେତେବେଳର ନିକ୍ସନ ପ୍ରଶାସନ । ଦଶା ମଧ୍ୟ ଠିକ ଏମିତି ହୋଇଥିଲା । କିନ୍ତୁ ସେତେବେଳର ବୈଦେଶିକ ସଚିବ ହେନରୀ କିସିଞ୍ଜର ଆମେରିକାର ସମ୍ମାନ ରକ୍ଷା କରି ଦେଇଥିଲେ । ଏବେ ଟ୍ରମ୍ପ ପ୍ରଶାସନ ବୈଦେଶିକ ସଚିବ ମାର୍କୋ ରୁବିଓ କଣ କଲେ, କଣ କରୁଛନ୍ତି ? କାହିଁକି ସେ କିସିଞ୍ଜରଙ୍କ ଭଳି ହୋଇପାରୁ ନାହାଁନ୍ତି ? ଇରାନ ବିରୋଧୀ ଯୁଦ୍ଧରେ ଆମେରିକାର ଏମିତି ଦଶା ହେବା ପଛରେ ଟ୍ରମ୍ପ ପ୍ରଶାସନର ଆଉ ଜଣେ ପ୍ରମୁଖ ନେତୃତ୍ୱଙ୍କର ବି ହାତ ରହିଛି । ସେ ହେଉଛନ୍ତି ପ୍ରତିରକ୍ଷା ସଚିବ ପିଟ୍ ହେଗସେଠ୍ । ଆଗରୁ ସେ ଆମେରିକା ସେନାରେ ଥିଲେ । ଅବସର ପରେ ଆମେରିକୀୟ ନ୍ୟୁଜ ଚ୍ୟାନେଲ୍ CNNରେ ଆଙ୍କରିଂ କରୁଥିଲେ । CNNରେ ଥିବା ବେଳେ ଟ୍ରମ୍ପ ଓ ତାଙ୍କ ରିପବ୍ଲିକାନ ପାର୍ଟି ପାଇଁ ଫୁଲ୍ ଦମରେ ବାଜା ବଜାଉଥିଲେ ହେଗସେଠ । ଯେଉଁଥିରେ ଖୁସି ହୋଇ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ପିଟ୍ ହେଗସେଠଙ୍କୁ ପେଣ୍ଟାଗନ୍ ମୁଖ୍ୟ ବା ପ୍ରତିରକ୍ଷା ସଚିବ କରିଛନ୍ତି ଟ୍ରମ୍ପ । ହେଗସେଠଙ୍କୁ ଯେତେବେଳେ ପ୍ରତିରକ୍ଷା ସଚିବ କରାଗଲା, ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । ଆମେରିକା ସେନା ମଧ୍ୟରୁ ହୋଇଥିଲା ଏହି ବିରୋଧ । କାରଣ ସେନାରେ ସେ ଜଣେ Low Rung ଅଧିକାରୀ ଥିଲେ । ସାମରିକ ରଣନୀତି ବାବଦରେ ତାଙ୍କର ଆଦୌ ବିଶେଷ ଅଭିଜ୍ଞତା ନାହିଁ । କିନ୍ତୁ ଟ୍ରମ୍ପଙ୍କୁ କିଏ ବୁଝାଇବ ! ଇରାନ ବିରୋଧୀ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ପୂରା ମନେ ମନେ ଚଉଦା ପା’ ହୋଇ ଯାଇଛନ୍ତି । ଜାତୀୟ ଗୁଇନ୍ଦା ମୁଖ୍ୟ ତୁଲସୀ ଗାବାର୍ଡଙ୍କୁ ବି ସେ ପଚାରି ନାହାଁନ୍ତି କି ପଚାରୁ ନାହାଁନ୍ତି । ସେ କଥା ଛାଡ଼ନ୍ତୁ, ଇରାନ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ନା ଆମେରିକା କଂଗ୍ରେସ ଅନୁମତି ଦେଇଛି ନା ରାଷ୍ଟ୍ରପତି ଟ୍ରମ୍ପ, କଂଗ୍ରେସକୁ ଅବଗତ କରାଇଛନ୍ତି । ତେଣୁ ଏଇଠୁ ଚିନ୍ତା କରନ୍ତୁ, ଟ୍ରମ୍ପଙ୍କ ରଣନୀତି କେମିତି ଥିଲା !…
(୧୦) ୧୯୭୩ ଯୁଦ୍ଧ ପାଇଁ ରିଚାର୍ଡ ନିକ୍ସନଙ୍କ ବିରୋଧରେ ଆସିଥିଲା ମହାଭିଯୋଗ ପ୍ରସ୍ତାବ । ରାଷ୍ଟ୍ରପତି ପଦ ହରାଇଲେ… ଯାହା ଏବେ ଟ୍ରମ୍ପଙ୍କ କ୍ଷେତ୍ରରେ ହେବାର ଯଥେଷ୍ଟ ସମ୍ଭାବନା ରଖୁଛି । ଟ୍ରମ୍ପ କେବଳ ଆମେରିକାକୁ ଡମ୍ପ କରିଦେଇ ନାହାଁନ୍ତି, ବରଂ ହେନରୀ କିସିଞ୍ଜର ଆମେରିକା ପାଇଁ ଗଢ଼ିଥିବା ୫୨ ବର୍ଷର ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି । କହିବାକୁ ଗଲେ, ନିକ୍ସନ ପ୍ରଶାସନଠାରୁ ଟ୍ରମ୍ପ ପ୍ରଶାସନ, ଆମେରିକାର ଯଥେଷ୍ଟ ଅଧିକ କ୍ଷତି ଘଟାଇଛି, ଯାହା ସଜାଡ଼ିବା ହୁଏତ ବର୍ତ୍ତମାନ ପରିସ୍ଥିତିରେ ବହୁ ସମୟ ଲାଗି ଯାଇପାରେ ।…
