ସୌଭାଗ୍ୟବତୀ ରାଜନୀତି…

ETBUREAU: ସୌଭାଗ୍ୟବତୀ… କଣ ଏ ଶବ୍ଦର ଅର୍ଥ ? କଣ ଏ ଶବ୍ଦର ବାସ୍ତବତା ? କାହିଁକି ଏ ଶବ୍ଦର ସୃଷ୍ଟି ? କାହା ପାଇଁ ଏ ଶବ୍ଦ ? ବ୍ୟାକରଣ ଦୃଷ୍ଟିକୋଣରୁ ଏ ଶବ୍ଦଟି ସ୍ତ୍ରୀଲିଙ୍ଗ ସତ, ହେଲେ ଏହାର ବାସ୍ତବତା କେତେ ବାସ୍ତବ ? ସବୁ ଝିଅ ବା ନାରୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି କି ? ନା ଆଗକୁ ଦେଖିବାକୁ ମିଳିବ ? ନା ଏ ଶବ୍ଦର ବ୍ୟବହାର କେବଳ ଏକ ଔପଚାରିକତା ମାତ୍ର !…

(୨) କେଉଁ ନାରୀ ସୌଭାଗ୍ୟବତୀ ? କାହିଁକି ଦୁନିଆର ସବୁ ନାରୀ ନୁହଁନ୍ତି ସୌଭାଗ୍ୟବତୀ ? ହଁ, ଏଠି ରହୁଛି ସୀତା ଓ ଉର୍ମିଳାର ଫରକ । ମାତା ସୀତା ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସ୍ତ୍ରୀ, ଆଉ ଉର୍ମିଳା ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ଅନୁଜ ଲକ୍ଷ୍ମଣଙ୍କ ଧର୍ମପତ୍ନୀ । ପୁଅ ଭରତକୁ ଅଯୋଧ୍ୟାର ରାଜା କରିବା ଉଦ୍ଦେଶ୍ୟରେ ଛଳ କରି ସ୍ବାମୀ ଦଶରଥଙ୍କୁ ୨ଟି ବର ମାଗିଥିଲେ ମାଆ କୈକେୟୀ । ପ୍ରଥମଟି ଥିଲା, “ରାମ ୧୪ ବର୍ଷ ବନବାସ ଯିବେ”, ଆଉ ଦ୍ବିତୀୟଟି, “ଭରତ ଅଯୋଧ୍ୟାର ରାଜା ହେବେ” । କୈକେୟୀ ତ କହି ନଥିଲେ, ରାମଙ୍କ ସହ ତାଙ୍କ ସ୍ତ୍ରୀ ସୀତା କିମ୍ବା ଅନୁଜ ଲକ୍ଷ୍ମଣ ଯିବେ ବୋଲି ! କିନ୍ତୁ ପତିଙ୍କ ଛାଇ ହୋଇ ରହିବାକୁ ମାତା ସୀତା, ପ୍ରଭୁ ରାମଚନ୍ଦ୍ରଙ୍କ ସହ ବନବାସ ଯାଇଥିଲେ । ଭାଇ, ଭାଉଜ ବଣରେ ରହିବେ, ସେମାନଙ୍କୁ ସୁରକ୍ଷା ଦେବାକୁ ଲକ୍ଷ୍ମଣ ବାହାରିଲେ । ହେଲେ କାହିଁକି ସ୍ବାମୀ ଲକ୍ଷ୍ମଣଙ୍କ ସହ ଯିବାକୁ ବାହାରିଲେନି ତାଙ୍କ ସ୍ତ୍ରୀ ଉର୍ମିଳା ! ରାମ ବଡ଼, ଲକ୍ଷ୍ମଣ ସାନ । ରାଜା ଦଶରଥଙ୍କ ଘରକୁ ପ୍ରଥମେ ସୀତା ବୋହୂ ହୋଇ ଆସିଥିଲେ, ତା ପରେ ଉର୍ମିଳା । ଏଠି କୁହନ୍ତୁ ତ, ସୀତା ଓ ଉର୍ମିଳାଙ୍କ ମଧ୍ୟରୁ କାହା ପାଇଁ ସେହି ସମୟଟି ଅଧିକ ଥିଲା Golden Period ? କିନ୍ତୁ ତାଙ୍କ ସ୍ବାମୀ ଲକ୍ଷ୍ମଣ ତାଙ୍କୁ ଛାଡ଼ି ଦେଢ଼ଶୁର ରାମଚନ୍ଦ୍ର ଓ ବଡ଼ ଯାଆ ସୀତାଙ୍କ ସୁରକ୍ଷା ପାଇଁ, ତାଙ୍କୁ ଛାଡ଼ି ୧୪ ବର୍ଷ ପାଇଁ ବଣକୁ ଯାଉଥିଲେ ମଧ୍ୟ, ଉର୍ମିଳା ଯାଇ ନଥିଲେ କିମ୍ବା ଯିବାକୁ ଇଚ୍ଛା ପ୍ରକାଶ କରି ନଥିଲେ । ସ୍ବାମୀ ଲକ୍ଷ୍ମଣଙ୍କୁ ମଧ୍ୟ ସେମିତି ବାରଣ କରି ନଥିଲେ । ଶାଶୂ, ଶ୍ବଶୁର ଓ ଶାଶୂଘରର ସେବାକୁ ସ୍ବାମୀ ସେବା ଓ ସ୍ବାମୀ ସୁଖଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ ରଖିଲେ ଉର୍ମିଳା । କିନ୍ତୁ ଏ ଦୁନିଆ ଉର୍ମିଳାଙ୍କ ତ୍ୟାଗ, ସେବା କିମ୍ବା ସମର୍ପଣକୁ ମନେ ରଖିନି, ବରଂ ମନେ ରଖିଛି ସୀତାଙ୍କ ଅଗ୍ନି ପରୀକ୍ଷା ବେଳର ସତୀତ୍ବକୁ… ମନେ ରଖିଛି ସେହି ଉପାଖ୍ୟାନକୁ, ଯେଉଁ ଉପାଖ୍ୟାନ ଆଧାରରେ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ତ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ ।…

(୩) ୨୦୧୪ ପରଠାରୁ ଦେଶରେ ରାମଙ୍କ ଜମାନା ଚାଲିଛି । ହେଲେ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ମାତା ସୀତାଙ୍କୁ ନେଇ ଆଦୌ ହେଉନି । ରାମ ଏବେ ଅଯୋଧ୍ୟାର ରାଜା, ହେଲେ ମାତା ସୀତା କେଉଁଠି ? ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ମାତା ସୀତା, ପ୍ରଭୁ ରାମଚନ୍ଦ୍ରଙ୍କଠାରୁ Legally Separated ତ ! ନା ଏଠି ବି, ଏବେର ଯୁଗରେ ରାମାୟଣର ସେହି ଉପାଖ୍ୟାନ ଆଧାର ହୋଇ ରହିଛି ! କାହିଁକି ଆମେ ମାତା ସୀତାଙ୍କୁ ଭୁଲି କେବଳ ରାମ ରାମ ଭଜି ହେଉଛେ ? ଏଇ ଯେମିତି, ସୀତାଙ୍କ ଠିକଣା ମନେ ରଖି ନଥିବା ଏବେର ପ୍ରଭୁ ରାମଚନ୍ଦ୍ର । ସାଧାରଣ ପ୍ରଜାର ମନ୍ତବ୍ୟ ଆଧାରରେ, ଅଗ୍ନି ପରୀକ୍ଷା ପରେ ମଧ୍ୟ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ ପ୍ରଭୁ ଶ୍ରୀରାମ । ଏବେ କିନ୍ତୁ ସୀତା ମାଆମାନଙ୍କୁ ଅର୍ଥାତ ମହିଳାଙ୍କୁ ରାଜନୈତିକ ସଂରକ୍ଷଣ ଦେବାକୁ ପ୍ରଭୁ ରାମଚନ୍ଦ୍ର ଏବଂ ତାଙ୍କ ବାନର ସେନାଙ୍କ ଛାତି ଫାଟି ଯାଉଛି । ଯେତେବେଳେ କି ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସହ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଯୋଡ଼ିବାର କିଛି କାରଣ ହିଁ ନାହିଁ । ବୋଧହୁଏ ଠିକ ସେମିତି, ପ୍ରଭୁ ରାମଚନ୍ଦ୍ର, ସୀତାଙ୍କୁ ଉଦ୍ଧାର କରିବାକୁ ଲଙ୍କାର ରାଜା ରାବଣଙ୍କ ସହ ଲୋକ ଦେଖାଣିଆ ଯୁଦ୍ଧ କରିଥିଲେ ! ଲୋକ ଦେଖାଣିଆ ନହୋଇ ଥିଲେ ନିଜ ସ୍ତ୍ରୀକୁ ଜୀବନ ଥିବା ଯାଏ ନିଜ ପାଖରେ ନିଜର କରି ରଖି ନପାରି ଫୋପାଡ଼ି ଦେଇଥାନ୍ତେ କିପରି !…

(୪) ରାମ ଏବେ ରାଜା, ତେଣୁ ଏବେର ଭାରତବର୍ଷ ହିଁ ରାମରାଜ୍ୟ । ଗାନ୍ଧିଜୀଙ୍କ ସ୍ବପ୍ନର ରାମରାଜ୍ୟ ଭିନ୍ନ ହୋଇପାରେ, କିନ୍ତୁ Predictive History ଏବଂ Game Theory ଦୃଷ୍ଟିକୋଣରୁ ଯଦି ଦେଖିବା ତେବେ, ଏବେର ଭାରତ ହିଁ ପ୍ରକୃତ ରାମରାଜ୍ୟ । କାରଣ ଏଠି ଏବେ ଲୋକଙ୍କ ନଜରରେ ରାମ… ରାମ…ଆଉ ରାମ… ଛଳନାର ବୁଢିଆଣି ଜାଲରେ ମାତା ସୀତା ।…

(୫) ଆମ ପଡ଼ୋଶୀ ଆଫଗାନିସ୍ଥାନରେ ଚାଲିଛି ତାଲିବାନୀ ଶାସନ । ସେଠି ମହିଳାଙ୍କ ସ୍ଥିତି କଣ ଆମେ ଦେଖୁନେ ! ତାଲିବାନ କହିବା କଥା “ମହିଳାମାନେ କାଳେ କେବଳ ଛୁଆ ଜନମ କଲା ମେସିନ” । ସ୍ବାମୀକୁ ଶାରିରୀକ ସୁଖ ଦେବା ଏବଂ ତାଙ୍କ ବଂଶରକ୍ଷା କରିବାକୁ ନାରୀର ଜନ୍ମ । ଖାସ ସେଇଥି ପାଇଁ ବୋଧେ ନିକଟରେ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ତାଲିବାନ ଏବଂ ଆରଏସଏସ ଓ ବିଜେପି ମଧ୍ୟରେ ପ୍ରମୁଖ ସାମଞ୍ଜସ୍ୟ ‘ସନାତନ’ ବୋଲି କହିବାକୁ ପଛାଇ ନାହାଁନ୍ତି ! ତାଲିବାନୀଙ୍କୁ ସନାତନୀ ବୋଲି କହିବାକୁ ପଛାଇ ନାହାଁନ୍ତି ।…   

(୬) ପ୍ରକୃତରେ ଦେଖିବାକୁ ଗଲେ ସନାତନ ହିଁ ଆମ ଧର୍ମ । ପ୍ରକୃତ ସନାତନୀର ପ୍ରଥମ କର୍ତ୍ତବ୍ୟ ଏବଂ ଦାୟିତ୍ବ ହେଉଛି ତାର ପରିବାର ଏବଂ ପରିବାରର ପ୍ରତିଟି ସଦସ୍ୟ । କିନ୍ତୁ ମାତା ସୀତାଙ୍କୁ, ପ୍ରଭୁ ଶ୍ରୀରାମ ପରିବାରର ସଦସ୍ୟ ହୋଇ ରହିବାକୁ ଦେଲେ ନାହିଁ । ନିଜକୁ କିନ୍ତୁ ସନାତନୀ କହି ସନାତନର ଢୋଲ ପିଟିବାରେ ଉଣା କରୁନାହାଁନ୍ତି  ଏବେର ପ୍ରଭୁ ରାମଚନ୍ଦ୍ର ଏବଂ ତାଙ୍କର ଭକ୍ତବୃନ୍ଦ । ତେଣୁ ଏଠି ରାମାୟଣର ସେହି ଉପାଖ୍ୟାନ ଆଧାର ବୋଲି ମନେ ହେଉଛି ନା ହେଉନି, ଆପଣମାନେ କୁହନ୍ତୁ ! ଯଦି ପ୍ରଯୁଜ୍ୟ ବୋଲି ମନେ ହେଉଛି, ତେବେ ଏବେର ଭାରତ ହିଁ ରାମରାଜ୍ୟ, ଆଉ ଯିଏ ତାର ମୁଖିଆ, ସେ ହିଁ ସ୍ବୟଂ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ତେଣୁ ରାମାୟଣ ଯୁଗରେ ମାତା ସୀତାମାନେ ଯେମିତି ଅବସ୍ଥାରେ ଥିଲେ, ଏବେ ବି ସେମିତି ଅବସ୍ଥାରେ ସେମାନଙ୍କୁ ରହିବାକୁ ହିଁ ପଡ଼ିବ କିମ୍ବା ପଡ଼ିପାରେ ।…

(୭) ଉଭୟ ମାତା ସୀତା ଓ ଉର୍ମିଳା ବ୍ୟକ୍ତିଗତ ସ୍ତରରେ ତ୍ୟାଗ କରିଛନ୍ତି । କିନ୍ତୁ ଉଭୟଙ୍କ ତ୍ୟାଗରେ ଅନେକ ଭିନ୍ନତା ରହିଛି । ମାତା ସୀତାଙ୍କଠାରୁ ଅଧିକ ତ୍ୟାଗ କରିଛନ୍ତି ଉର୍ମିଳା । କିନ୍ତୁ ସୀତା ସବୁଦିନ ପାଇଁ ଚର୍ଚ୍ଚାରେ, ଆଉ ଉର୍ମିଳା ଗୁରୁତ୍ବହୀନ । ତେଣୁ ଏବେର ସୀତାମାନେ ଚର୍ଚ୍ଚାରେ ରହିବେ ସତ, କିନ୍ତୁ ଉର୍ମିଳାଙ୍କ ଭଳି ସବୁଦିନ ଗୁରୁତ୍ବହୀନ ହୋଇ ରହିବେ । କେବଳ ସୃଷ୍ଟି ରକ୍ଷା ପାଇଁ, ସୃଷ୍ଟିର ଲାଳନ ପାଳନ ପାଇଁ… ସେମାନଙ୍କ ସୃଷ୍ଟି । ସୀତାମାନେ ଚର୍ଚ୍ଚାରେ ରହିବେ ସତ, କିନ୍ତୁ ବାସ୍ତବରେ ରହିବେ ଠିକ ଉର୍ମିଳାଙ୍କ ଭଳି । କାରଣ ଦେଶରେ ଆଗକୁ ଯେଉଁ ସମ୍ବିଧାନ ଲାଗୁ ହେବାର ସମ୍ଭାବନା ରହୁଛି, ସେଥିରେ ମହିଳାଙ୍କୁ ନେଇ କଣ ଉଲ୍ଲେଖ ଅଛି ଜାଣନ୍ତି ! “ନାରୀର ସୃଷ୍ଟି କେବଳ ପୁରୁଷର ସୁଖ ପାଇଁ, ତାର ପୌରୁଷତ୍ବର ପ୍ରମାଣ ଦେବାକୁ” ।…

(୮) ସୀତାମାନଙ୍କୁ ସବୁଦିନ ପାଇଁ କେବଳ ଉର୍ମିଳାଙ୍କ ଭଳି ଗୁରୁତ୍ବହୀନ ହୋଇ ରହିବାକୁ ହିଁ ପଡ଼ିପାରେ । କାରଣ ବାହା ହୋଇ ଶାଶୂଘରକୁ ପଛରେ ଆସିଥିବା ଉର୍ମିଳା ଯଦି, ତାଙ୍କ ସ୍ବାମୀ ଲକ୍ଷ୍ମଣଙ୍କୁ ଛାଡ଼ି ଶାଶୂଘରେ ରହିବାକୁ ଉଚିତ ମଣିଲେ, ବଡ଼ ହୋଇ ସୀତା କାହିଁକି ତାହା ନକଲେ ! ସୀତାଙ୍କ ଭଳି ଏବେର ନାରୀ ଠିକ ସେମିତି ଅଷ୍ଟମଙ୍ଗୁଳା ନଯାଉଣୁ, ଶାଶୂଘରକୁ ପଛ କରି ସ୍ବାମୀଙ୍କ ସହ ସବୁଦିନ ପାଇଁ ସହରବାସରେ ପଳାଇ ଆସୁଛି । ତେଣୁ ଆଜିର ନାରୀଙ୍କୁ ନେଇ ହୁଏତ ସୀତାଙ୍କ ଭଳି ଚର୍ଚ୍ଚା ଲାଗି ରହିପାରେ, କିନ୍ତୁ ପ୍ରକୃତ ସ୍ଥିତି ଠିକ ଉର୍ମିଳାଙ୍କ ଭଳି ଗୁରୁତ୍ବହୀନ ହୋଇପାରେ ! ମହିଳାଙ୍କ ପ୍ରତି ଆଫଗାନିସ୍ଥାନରେ ତାଲିବାନର ଆଭିମୁଖ୍ୟ ଏବଂ ସେମାନଙ୍କୁ ସନାତନୀ କହିଥିବା ଆମ ଦେଶର ସେହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସହ ରାମାୟଣ କଥାବସ୍ତୁରେ ପ୍ରଭୁ ଶ୍ରୀ ରାମନ୍ଦ୍ରଙ୍କ ଲୀଳାକୁ ଯଦି ତୁଳନାତ୍ମକ ବିଶ୍ଳେଷଣ କରିବା, ତେବେ ମହିଳାଙ୍କ ପ୍ରତି ବର୍ତ୍ତମାନର ସମାଜର ଆଭିମୁଖ୍ୟ ବୁଝିବାକୁ କଷ୍ଟ ହେବନି ।…

(୯) କୁହନ୍ତୁ ତ, ୨୦୨୩ ଅକ୍ଟୋବରରେ ଆଇନରେ ପରିଣତ ହୋଇ ସାରିଥିବା ବିଲକୁ ଏଯାଏଁ କାହିଁକି କାର୍ଯ୍ୟକାରୀ କରାଯାଇନି ? ସେଥିରେ ସୀମା ପୁନଃନିର୍ଦ୍ଧାରଣକୁ ଯୋଡ଼ିବାର କଣ ଆବଶ୍ୟକତା ରହିଛି ? ବର୍ତ୍ତମାନ ଯେଉଁ ୫୪୩ ଲୋକସଭା ଆସନ ରହିଛି, ସେଥିରୁ ୩୩ ପ୍ରତିଶତ ମହିଳାଙ୍କୁ ଦେବାରେ ଅସୁବିଧା ରହୁଛି କେଉଁଠି ? କାହିଁକି ସେତେବେଳେ ବିଲକୁ ପୂର୍ଣ୍ଣ ସମର୍ଥନ ଦେଇଥିବା ବିରୋଧୀ ଏବେ ବିରୋଧ କଲେ ? ୨୦୧୪ରୁ କ୍ଷମତାକୁ ଆସିଥିବା ବିଜେପି ନେତୃତ୍ବାଧୀନ ସରକାର କେମିତି ପ୍ରଥମ ଥର ପାଇଁ ଗୋଟେ ବିଲକୁ ପାସ୍ କରାଇ ପାରିଲା ନାହିଁ ! ୩ ଅପରାଧିକ ଆଇନରେ ସଂଶୋଧନ ଆଣିଲା ବେଳକୁ ତ ୧୪୭ ଜଣ ସାଂସଦଙ୍କୁ ନିଲମ୍ବନ କରିଦେଇ ହେଲା ! ଏବେ ସେମିତି କାହିଁକି ହେଲାନି ବା କରାଗଲାନି ! ଏବେ ଦେଶର ୧୬ଟି ରାଜ୍ୟରେ ବିଜେପି ସରକାରରେ ଥିବା ବେଳେ ଆଉ ୩/୪ଟିରେ ଏନଡିଏର ସରକାର ରହିଛି । ଏସବୁ ମୋଟ ରାଜ୍ୟର ୩୩ ପ୍ରତିଶତରେ କାହିଁକି ମହିଳା ମୁଖ୍ୟମନ୍ତ୍ରୀ ନାହାଁନ୍ତି ? ନିର୍ବାଚିତ ବିଜେପି ସାଂସଦଙ୍କ ମଧ୍ୟରେ ୩୩ ପ୍ରତିଶତ ମହିଳା ଅଛନ୍ତି ତ ! ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା ତ ! ପ୍ରଭୁ ରାମଚନ୍ଦ୍ରଙ୍କ ପିତୃ ସଂଗଠନରେ କେତେ ଜଣ ମହିଳା ଅଛନ୍ତି ? ତେଣୁ ଏଠି କେବଳ ଧାଡ଼ି ପରେ ଧାଡ଼ି ପଢ଼ିଦେଲେ ହେବନି, ଦୁଇ ଧାଡ଼ି ମଧ୍ୟରେ ଥିବା ଫାଙ୍କାରେ କଣ ଅଦୃଶ୍ୟ ଲେଖା ରହିଛି ତାକୁ ହିଁ ନିରିଖେଇ କି ପଢ଼ିବାର ଅଛି । ନଚେତ ସୀତାମାନେ କେବଳ ଚର୍ଚ୍ଚାରେ ରହିବେ ସତ, କିନ୍ତୁ ଉର୍ମିଳାଙ୍କ ଭଳି ସବୁଦିନ ପାଇଁ ଗୁରୁତ୍ବହୀନ ହୋଇ ରହିବେ । ସୌଭାଗ୍ୟବତୀ ଶବ୍ଦ କେବଳ ଏକ ଔପଚାରିକତା ହୋଇ ରହିଛି ଏବଂ ରହିଥିବ ।…

(୧୦) ଏବେ ଦେଶର ଏକମାତ୍ର ରାଜ୍ୟ ପଶ୍ଚିମବଙ୍ଗରେ ହିଁ ଜଣେ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ପୁଣି ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେବା ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ହିଁ ୩୩ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଇଛି । କିନ୍ତୁ ଏବେ ସାରା ଦେଶରେ Women Power ଏବଂ Women Empowermentର ପ୍ରତୀକ ହୋଇ ରହିଥିବା ପଶ୍ଚିମବଙ୍ଗ ଦଖଲ ପାଇଁ ପ୍ରଭୁ ରାମଚନ୍ଦ୍ର ଓ ତାଙ୍କ ବାନର ସେନା ଭୟଙ୍କର ଲଢ଼େଇ ଆରମ୍ଭ କରି ଦେଇଛନ୍ତି । ଅବଳା କେବେ ବି ଦୁର୍ବଳା ନୁହେଁ । ଯୁଗେ ଯୁଗେ ନାରୀ ଶକ୍ତି ହିଁ ଉଦ୍ଧତ ଆସୁରିକ ଶକ୍ତିର ବିନାଶ ଘଟାଇଛି । ତେଣୁ ନାରୀଙ୍କୁ ଛିଟିଆ ମନେକରି, ସେମାନଙ୍କ ପ୍ରତି ଛଳ କରି, ସେମାନଙ୍କୁ ମୋହରା ବନାଇ… ରାଜନୀତି କରିବା ନିଶ୍ଚିତ ରୂପେ ଭବିଷ୍ୟତରେ ମହଙ୍ଗା ପଡ଼ିବ ।…

Leave a Reply

Your email address will not be published. Required fields are marked *