ETBUREAU: ଚାଲିଛି ଯୁଦ୍ଧ… ଦିନକୁ ଦିନ ହେଉଛି ଭୟଙ୍କରରୁ ଆହୁରି ଭୟଙ୍କର । ଯୁଦ୍ଧରେ କିଏ ଜିତିବ, କିଏ ହାରିବ… ତାହା ପର କଥା । କିନ୍ତୁ ବିଶ୍ୱକୁ ବହେ ଦହଗଞ୍ଜ କଲାଣି ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ଚଳାଇଥିବା ଏହି ଯୁଦ୍ଧ । ସବୁଠି ଯୁଦ୍ଧକୁ ନେଇ ଚର୍ଚ୍ଚା… ଆଉ ଏହି ଚର୍ଚ୍ଚା ଭିତରେ ସବା ଉପରେ ଦୁଇଟି Talking Point, ଖାର୍ଗ ଆଇଲାଣ୍ଡ ଓ ହର୍ମୁଜ୍ ଷ୍ଟ୍ରେଟ୍ । କାହିଁକି ଏହି ଆଇଲାଣ୍ଡ ଓ ଷ୍ଟ୍ରେଟ୍ ଉପରେ ଆମେରିକାର ଏତେ ବଡ଼ ଲୋଲୁପ ନଳର ! Strategic ଦୃଷ୍ଟିକୋଣରୁ ଏହି ଦୁଇ ଅଞ୍ଚଳର ଏତେ ଗୁରୁତ୍ବ କାହିଁକି ! କାରଣ ଏହି ଦୁଇ ଅଞ୍ଚଳ ଶକ୍ତି ପ୍ରେରଣର ପ୍ରମୁଖ ଉତ୍ସ ହୋଇଥିବା ବେଳେ ସାରା ବିଶ୍ଵର ଅର୍ଥନୀତିକୁ କରିଥାଏ ନିୟନ୍ତ୍ରଣ । ଆଉ ଏହି ଦୁଇ ଅଞ୍ଚଳରେ ହଲଚଲ୍ ହେଲେ, ସାରା ବିଶ୍ଵରେ ସୃଷ୍ଟି ହୁଏ ହଲଚଲ୍ । ଯାହା ଏବେ ଦେଖିବାକୁ ମିଳିଛି । ଖାଲି ଦେଖିବାକୁ କାହିଁକି, ଏହାର ପ୍ରଭାବ ମଧ୍ୟ ସାରା ବିଶ୍ବ ଅନୁଭବ କଲାଣି ।…
(୨) ପ୍ରଥମେ ଆସନ୍ତୁ ଜାଣିବା ଖାର୍ଗ ଆଇଲାଣ୍ଡ ବିଷୟରେ । ଇରାନ ଉପକୂଳଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଏହି ଆଇଲାଣ୍ଡର କ୍ଷେତ୍ରଫଳ ହେଉଛି ମାତ୍ର ୨୫-୨୬ ବର୍ଗ କିଲୋମିଟର । ହର୍ମୁଜ୍ ଷ୍ଟ୍ରେଟଠାରୁ ଦକ୍ଷିଣ-ପଶ୍ଚିମରେ ଏହା ୬୬୦ କିଲୋମିଟର ଦୂରରେ । ଖାର୍ଗ ଆଇଲାଣ୍ଡ ଇରାନର । ଏଠାରେ ଇରାନର ନାହିଁ ତେଲ ଖଣି, କିନ୍ତୁ ଅଛି ବିଶ୍ଵର ସବୁଠାରୁ ବଡ଼ ତେଲ ଭଣ୍ଡାର, ଯାହା ଇରାନର । ଇରାନ ତା’ ଉତ୍ପାଦିତ ତୈଳର ୯୦ ପ୍ରତିଶତ ଏହିଠାରୁ ରପ୍ତାନୀ କରିଥାଏ । ସେପଟେ ଇରାନ ତେଲର ୯୦ ପ୍ରତିଶତ କେବଳ ଚୀନ ହିଁ କିଣିଥାଏ । କିନ୍ତୁ ଏବେ ଖାର୍ଗ ଆଇଲାଣ୍ଡ ଉପରେ ଟ୍ରମ୍ପଙ୍କ ଆଖି । ଏହାକୁ ସମ୍ପୂର୍ଣ ଆମେରିକା କବଜାକୁ ନେବାକୁ ଚେଷ୍ଟା ଚଳାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କମାଣ୍ଡୋ ଅପରେସନ୍ କରି ଏହାକୁ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି ସେ । ଯେଉଁଥି ପାଇଁ ଜାପାନରେ ସ୍ବତନ୍ତ୍ର ତାଲିମ ପାଇ ମୁତୟନ ଥିବା ଆମେରିକାର ଅଢ଼େଇ ହଜାର ପାରା ଟ୍ରୁପ କମାଣ୍ଡୋଙ୍କୁ ଖାର୍ଗ ଆଇଲାଣ୍ଡକୁ ଆଣି, ଇରାନଠାରୁ ତାହା ଛଡ଼ାଇ ନେବା ଯୋଜନାରେ ଅଛନ୍ତି । କିନ୍ତୁ ଏହା ସମ୍ଭବ ହୋଇପାରିବ ତ ! କାରଣ ମାତ୍ର ୩-୪ ଦିନରେ ଇରାନକୁ ହରାଇ ତାର ସତ୍ତା ପରିବର୍ତ୍ତନ କରିଦେବାକୁ ପ୍ରଥମେ କହିଥିଲେ ଟ୍ରମ୍ପ । କିନ୍ତୁ ଏବେ ଯୁଦ୍ଧକୁ ମାସେ ପରେ ହେଲାଣି । ସୁପ୍ରିମ ଲିଡର୍ ଆୟାତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ସମେତ Top Levelର ଅନେକ ନେତା, ମନ୍ତ୍ରୀ ଓ Military Commanderଙ୍କୁ ହତ୍ୟା ପରେ, କହିବାକୁ ଗଲେ ଇରାନରେ ଏକ ପ୍ରକାର ସତ୍ତା ପରିବର୍ତ୍ତନ ହୋଇସାରିଛି । କିନ୍ତୁ ଏହା ଆମେରିକାର Objective ପୂରଣ ହେବାକୁ ଦେଇନି । କାରଣ ଇରାନରେ ନିଜ ପସନ୍ଦର ସରକାର ଚାହୁଁଛି ଆମେରିକା । ଯାହା ବର୍ତ୍ତମାନ ପରିସ୍ଥିତିରେ ଆଦୌ ସମ୍ଭବ ଲାଗୁ ନଥିବାରୁ ଏବେ ଖାର୍ଗ ଆଇଲାଣ୍ଡ ଏବଂ ହର୍ମୁଜ୍ ଷ୍ଟ୍ରେଟକୁ ଇରାନଠାରୁ ଛଡ଼ାଇ ନେଇ, ତାକୁ ଆର୍ଥିକ ସ୍ତରରେ ବରବାଦ କରି… ହାତମୁଠାରେ ରଖିବାକୁ ଚିନ୍ତା କରୁଛନ୍ତି ଟ୍ରମ୍ପ ।…
(୩) ଟ୍ରମ୍ପ ଜଣେ Real Estate Business Man । ସାଧାରଣ ଲୋକେ ଯେଉଁ ଜମିକୁ- ‘ହ, କଣ ହେବ’ କହି ପଚାରନ୍ତି ନାହିଁ… Real Estate Business Man କିନ୍ତୁ ଆଗାମୀ ଅନେକ ବର୍ଷ ପାଇଁ ସେହି ଜମିର ମୂଲ୍ୟାୟନ କରିବାରେ ମାହିର । ଯେଉଁଥି ପାଇଁ ଖାର୍ଗ ଆଇଲାଣ୍ଡକୁ ଆମେରିକାର କରିବାକୁ ୧୯୮୯ରେ କହିଥିଲେ ଡୋନାଲ୍ଡ ଟ୍ରମ୍ପ । ସେତେବେଳେ ସେ କଣ କହିଥିଲେ ଜାଣନ୍ତି ! ‘ମୁଁ ଯଦି ଭବିଷ୍ୟତରେ କେବେ ଆମେରିକାର ରାଷ୍ଟ୍ରପତି ହେବି, ଖାର୍ଗ ଆଇଲାଣ୍ଡକୁ ଆମେରିକାର କରିଦେବି’ । ଖାସ୍ ସେତେବେଳର କଥାକୁ ସତ କରି ଦେଖାଇବାକୁ ବୋଧହୁଏ ରାଷ୍ଟ୍ରପତି ଟ୍ରମ୍ପ ଏବେ ମାତିଛନ୍ତି । କିନ୍ତୁ ମାସକ ଭିତରେ ଇରାନ ଯେମିତି ଇସ୍ରାଏଲ ଓ ଆମେରିକାକୁ ନାକରେ ପାଣି ପିଆଇଲାଣି, ଏଭଳି ସ୍ଥିତିରେ ଖାର୍ଗ ଆଇଲାଣ୍ଡରେ ଆମେରିକା କମାଣ୍ଡୋ ପାଦ ଥୋଇପାରିବେ ତ ! ଇରାନ ତାର ଅସ୍ତିତ୍ବ ପାଇଁ ଲଢୁଛି । ଆଉ ଖାର୍ଗ ଆଇଲାଣ୍ଡ ହେଉଛି, ଇରାନ ଆର୍ଥିକ ଅସ୍ତିତ୍ବର ପ୍ରମୁଖ ଅଂଶବିଶେଷ । ତେଣୁ ଖାର୍ଗ ଆଇଲାଣ୍ଡକୁ ଲରାନ ସହଜର ଛାଡ଼ିଲା ଭଳି ଲାଗୁନି । ଶୁଣିବାକୁ ମିଳୁଛି କାଳେ ଆଇଲାଣ୍ଡ ଚାରିପଟ ସମୁଦ୍ରରେ ବିସ୍ଫୋରକ ବିଛାଇ ସାରିଛି ଇରାନ । ଖାଲି ସେତିକି ନୁହେଁ, ଦରକାର ପଡ଼ିଲେ ଆମେରିକୀୟ କମାଣ୍ଡୋ ସେଠାରେ ଓହ୍ଲାଇଥିବା ବେଳେ ପୂରା ତେଲ ଡିପୋରେ ନିଆଁ ବି ଲଗାଇ ଦେଇପାରେ ।…
(୪) ଖାର୍ଗ ଆଇଲାଣ୍ଡକୁ ସମ୍ପୂର୍ଣ ସୁରକ୍ଷା ବଳୟ ମଧ୍ୟରେ ରଖିଛି ଇରାନ । କେବଳ ଏହା ଚାରିପଟ ସମୁଦ୍ରରେ ବାରୁଦ ବିଛା ଯାଇନି, ବରଂ ବହୁ ସଂଖ୍ୟାରେ ମିସାଇଲ୍ ମଧ୍ୟ ଖଞ୍ଜା ଯାଇଛି । ରାଡାର୍ ବ୍ୟବସ୍ଥା ବି ରହିଛି । ପୁଣି ତାହା ପାହାଡ଼ିଆ ହୋଇଥିବା ବେଳେ ରହିଛି ଅନେକ ଗୁମ୍ଫା । ଯେଉଁଠି ଇରାନୀ ସେନା ଗରିଲା ଯୁଦ୍ଧରେ ଆମେରିକୀୟ ପାରା ଟ୍ରୁପରଙ୍କୁ ଘାଇଲା କରିଦେବାର ଯଥେଷ୍ଟ ସମ୍ଭାବନା ରହୁଛି । ଆପଣ ଭାବୁ ନାହାଁନ୍ତି, ଯେଉଁଠି ହଜାର ହଜାର କିଲୋମିଟର ଦୂରକୁ ମିସାଇଲରେ ଇରାନ ଟାର୍ଗେଟ୍ କରି ଦେଉଛି, ସେଠି ମାତ୍ର ୨୫ କିଲୋମିଟର ଦୂରରେ ଥିବା ଖାର୍ଗ ଆଇଲାଣ୍ଡରେ ତାର ଶତ୍ରୁଙ୍କୁ କଣ ସବକ୍ ଶିଖାଇ ପାରିବନି ! ଖାର୍ଗ ଆଇଲାଣ୍ଡରେ ଥିବା ସବୁ ପାହାଡ଼ରେ ଇରାନ ଏମିତି ବିସ୍ଫୋରକ ବିଛାଇଛି, ଦରକାର ପଡ଼ିଲେ ସେଗୁଡ଼ିକୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବ ।…
(୫) ଖାର୍ଗ ଆଇଲାଣ୍ଡରୁ ଚୀନ ସମେତ ବିଶ୍ୱର ବିଭିନ୍ନ ଦେଶକୁ ତେଲ ରପ୍ତାନୀ ହୋଇଥାଏ । କିନ୍ତୁ ଏବେ ଇରାନ, ହର୍ମୁଜ ଷ୍ଟ୍ରେଟକୁ ଆମେରିକା ସମେତ ବିଭିନ୍ନ ଦେଶ ପାଇଁ Choke Point ବନାଇଥିବାରୁ ଇରାନ ପାଇଁ ହର୍ମୁଜ ଷ୍ଟ୍ରେଟକୁ Choke Point ବନାଇ ଦେବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏମିତି ହେଲେ ଇରାନ, ଆଉ ତେଲ ବିକିପାରିବ ନାହିଁ । ତାର ଅର୍ଥନୀତି ଦୁର୍ବଳ ହୋଇଯିବ । ଆଉ ଇରାନ, ଆମେରିକା କଥାରେ ନାଚିବ । ଖାଲି ସେତିକି ନୁହେଁ, ଖାର୍ଗ ଆଇଲାଣ୍ଡ ଆମେରିକା କବଜାକୁ ଗଲେ, ଚୀନର ତେଲ ଚିନ୍ତା ବଢ଼ିଯିବ । ତାର ରପ୍ତାନୀ କମିଯିବ, ଅର୍ଥନୀତି ପ୍ରଭାବିତ ହେବ । ତେଣୁ ଖାର୍ଗ ଆଇଲାଣ୍ଡକୁ କବଜାକୁ ନେଇ ଆମେରିକା କେବଳ ଇରାନକୁ ବରବାଦ କରିବାକୁ ଚାହୁଁନି, ବରଂ ଚୀନ ଅର୍ଥନୀତିକୁ ମଧ୍ୟ ପାନେ ଦେବାକୁ ଲକ୍ଷ୍ୟ ରଖିଛି । ଏହା ହିଁ ଖାର୍ଗ ଆଇଲାଣ୍ଡକୁ ନେଇ ଟ୍ରମ୍ପଙ୍କ Strategic Angle । କମାଣ୍ଡୋ ଅପରେସନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ, ହୁକୁ ହୁକୁ ହେଉଛନ୍ତି… ୫୭ ହଜାର କମାଣ୍ଡୋକୁ ନେଇ ମୈଦାନକୁ ପଠାଇବାକୁ ଚାହୁଁଛନ୍ତି । କିନ୍ତୁ ଭିଏତନାମ ବିରୋଧୀ ଯୁଦ୍ଧର ଛନକା, ଆମେରିକାକୁ ଭୂତ ହୋଇ ଡରାଉଛି । କାରଣ ଭିଏତନାମ ଯୁଦ୍ଧରେ ଆମେରିକାର ୫୭ ହଜାର ସୈନିକ ପ୍ରାଣ ହରାଇଥିଲେ ।…
(୬) ଏବେ ଆସନ୍ତୁ ଜାଣିବା ହର୍ମୁଜ ଷ୍ଟ୍ରେଟ୍ ବାବଦରେ । Strategic ଦୃଷ୍ଟିକୋଣରୁ ଏହାର କଣ ରହିଛି ଗୁରୁତ୍ବ । Persian Gulf ଓ Gulf Of Oman ମଧ୍ୟରେ ରହିଛି ହର୍ମୁଜ ଷ୍ଟ୍ରେଟ । ଇରାନ ଉପକୂଳକୁ ଏହା ଲାଗି ରହିଛି । ଯାହାର ଲମ୍ବ ୧୬୭ କିଲୋମିଟର ଏବଂ ଓସାର ୩୯ କିଲୋମିଟର । ହର୍ମୁଜ ଷ୍ଟ୍ରେଟର ୧୨ Nautical Mile ଇରାନ ଜଳସୀମା ମଧ୍ୟରେ ଆସୁଛି ।ଇରାନ ସୀମାରେ ଜଳର ଗଭୀରତା ଅଧିକ ଥିବାରୁ ବେଶ ସହଜରେ ଜାହାଜ ଯାଆ-ଆସ କରିଥାଏ । ମଧ୍ୟପ୍ରାଚ୍ୟରେ ଅନେକ ଯୁଦ୍ଧ ହୋଇଛି । କିନ୍ତୁ ଇରାନ କେବେ ବି ହର୍ମୁଜ୍ ଷ୍ଟ୍ରେଟକୁ ବନ୍ଦ କରିନି । ଅବଶ୍ୟ ବାରମ୍ବାର ଧମକ ଦେଇଛି, କିନ୍ତୁ ବନ୍ଦ କରିନି । କିନ୍ତୁ ଏଥର ବନ୍ଦ କରି ଦେଇଛି । ଖାଲି ବନ୍ଦ କରିନି, ସେହି ବାଟ ଦେଇ ଯାଉଥିବା ଜାହାଜରୁ ଟୋଲ୍ ଆଦାୟ କଲାଣି । ପ୍ରତି ଜାହାଜଠାରୁ ପାଖାପାଖି ୨ କୋଟି ଡଲାର୍ ଟୋଲ୍ ନେଉଛି ଇରାନ । ଆଉ ଯଦି ସ୍ବାଭାବିକ ଭାବେ ହର୍ମୁଜକୁ ସମ୍ପୂର୍ଣ କବଜାକୁ ନିଏ ଏବଂ ସେହି ଜଳପଥ ଦେଇ ଯଦି ଦୈନିକ ଦେଢ଼ ଶହ ଜାହାଜ ଯାଆ-ଆସ କରନ୍ତି, ତେବେ ଇରାନ ଦୈନିକ ୩୦ କୋଟି ଡଲାର୍ ଟୋଲ୍ ବାବଦକୁ ଆଦାୟ କରିବ । ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଇରାନ ଯେଉଁ ସବୁ ସର୍ଭ ରଖିଛି ତାହା ମଧ୍ୟରେ ୨ଟି ରହିଛି ଅତି ପ୍ରମୁଖ । ୧୯୭୯ରୁ ଇରାନ ଉପରେ ଲଗା ଯାଇଥିବା କଟକଣା ସମ୍ପୂର୍ଣ ହଟାଯାଉ ଏବଂ ହର୍ମୁଜ୍ ଷ୍ଟ୍ରେଟକୁ ସବୁଦିନ ପାଇଁ ଇରାନ ନିୟନ୍ତ୍ରଣରେ ସମ୍ପୂର୍ଣ ରହିବାକୁ ଦିଆଯାଉ ।…
