ଗାଣତାନ୍ତ୍ରିକ ପଦ୍ଧତିରେ ଗଣତନ୍ତ୍ରର ହତ୍ୟା !…

ETBUREAU: Killing democracy, in a democratic way… ଯୁଦ୍ଧର ଘନଘଟା ଭିତରେ ଏବେ ଆମ ଦେଶରେ Delimitation ବା ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ସବୁଠି ଚର୍ଚ୍ଚା । ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ଡକା ଯାଇଥିବା ସ୍ବତନ୍ତ୍ର ଅଧିବେଶନ ସଂକ୍ରାନ୍ତ ପ୍ରସ୍ତାବରେ ଏହି ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ଯୋଡ଼ି ଦିଆଯାଇଛି । ଯାହାର ରାଜନୈତିକ ପ୍ରାସଙ୍ଗିକତା ସ୍ପଷ୍ଟ ବାରି ହୋଇଯାଉଛି । କାରଣ ଦକ୍ଷିଣ ଭାରତ ସମେତ ସବୁ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ସୀମା ନିର୍ଦ୍ଧାରଣକୁ ନୁହେଁ… ସରକାର ଯେଉଁ ଶୈଳୀରେ କରିବାକୁ ଯାଉଛନ୍ତି, ତାକୁ କରୁଛନ୍ତି ବିରୋଧ । କିନ୍ତୁ ନାରୀଙ୍କ ନାଁରେ ପାରି ହୋଇଯିବାକୁ ହୋଇଛି ବିଧିବଦ୍ଧ ଚାଲ୍ । ଯଦି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଅଛି, ତେବେ ସେ ସଂକ୍ରାନ୍ତ ବିଲ୍ ତ ଆଇନରେ ପରିଣତ ହୋଇସାରିଛି, ସଙ୍ଗେ ସଙ୍ଗେ ଲାଗୁ କରିଦେବାରେ କେଉଁଠି ତ୍ରୁଟି ରହୁଛି ?…

() ଏବେ ଆସନ୍ତୁ ଜାଣିବା, କାହିଁକି ସୀମା ପୁନଃ ନିର୍ଦ୍ଧାରଣ ଶୈଳୀକୁ ଦକ୍ଷିଣ ଭାରତର ସବୁ ରାଜ୍ୟ ବିରୋଧ କରୁଛନ୍ତି । ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ଜନସଂଖ୍ୟା ଆଧାରରେ ହେବ । ଜନସଂଖ୍ୟା ନିୟନ୍ତ୍ରଣ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆର୍ଥିକ ଦିଗ ସହ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ… ଅଧିକାଂଶ କ୍ଷେତ୍ରରେ ଆଗୁଆ । ରୋଜଗାର ଅଧିକ ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ସେହି ଅନୁପାତରେ କର ଦେଉଛନ୍ତି । ସେହି ଅନୁପାତରେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ମିଳୁଛି । ଯେତେବେଳେ କି ଉତ୍ତର ଭାରତ ଏସବୁ ଦୃଷ୍ଟିରୁ, ଦକ୍ଷିଣ ଭାରତରଠାରୁ ତଳେ ରହିଛି । କିନ୍ତୁ ଅଧିକାଂଶ ଉତ୍ତର ଭାରତୀୟଙ୍କ କର୍ମ ସଂସ୍ଥାନ ଦକ୍ଷିଣ ଭାରତ । କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣ ହେଲେ ଉତ୍ତର ଭାରତର ସମସ୍ତ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବଢ଼ିବ । ଦକ୍ଷିଣ ଭାରତର ବଢ଼ିବ ସତ, କିନ୍ତୁ ଅନୁପାତ ଓ ବ୍ୟଧାନରେ ବହୁତ ଫରକ ରହିବ ।…

() ଉଦ୍ଦାହରଣ ସ୍ବରୂପ, ଏବେ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ ଥିବା ବେଳେ ଉତ୍ତର ପ୍ରଦେଶର ୮୦ । ଯଦି ୫୦ ପ୍ରତିଶତ ବଢେ, ତେବେ ଉତ୍ତର ପ୍ରଦେଶର ୧୨୦ ହେବ । ତାମିଲନାଡୁର ୫୯ ହେବା କଥା, କିନ୍ତୁ ଲୋକସଂଖ୍ୟା ହିସାବରେ ଦେଖିଲେ, ୧୧ ବଢ଼ି ୫୦ ହେବ । ଏଠି ତାମିଲନାଡୁ ୯ଟି ଆସନ ହରାଉଥିବା ବେଳେ ଦୁଇ ରାଜ୍ୟ ମଧ୍ୟରେ ପୂର୍ବରୁ ଥିବା ଫରକ ୪୧ ବଦଳରେ ୬୧ ହୋଇଯାଉଛି । ୫୦ ପ୍ରତିଶତ ହିସାବରେ ଦେଖିଲେ, ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ବଢ଼ି ୩୨ ହେବା କଥା, କିନ୍ତୁ ହେବ ୨୯ । ଓଡ଼ିଶା ମଧ୍ୟ ଏଠି ୩ଟି ଆସନ ହରାଉଛି । କିନ୍ତୁ ଉତ୍ତର ଭାରତର ସବୁ ରାଜ୍ୟକୁ ୫୦ ପ୍ରତିଶତ ବୃଦ୍ଧି ହିସାବରେ, ଯେତିକି ଆସନ ମିଳିବା କଥା, ତାଠାରୁ ଅଧିକ ଆସନ ମିଳିବ । ଏହା କେବଳ ଉତ୍ତର ଭାରତ ରାଜ୍ୟଗୁଡ଼ିକର ଜନସଂଖ୍ୟା ପାଇଁ ହିଁ ହେବ ।…

() ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ଯଦି, ସରକାରଙ୍କ ଇଚ୍ଛା ଅନୁସାରେ ବାସ୍ତବ ରୂପ ନିଏ, ତେବେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ରୀୟ ଅନୁଦାନ କମିଯିବ । ସେସବୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହ୍ରାସ ହେବ । ଆଉ ଆର୍ଥିକ ଅଭିବୃଦ୍ଧି ହ୍ରାସ ସବୁ କ୍ଷେତ୍ରକୁ ପ୍ରଭାବିତ କରିବ । ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବ ହରାଇବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ । ଦକ୍ଷିଣ ଭାରତ ଅନେକ ମାତ୍ରାରେ Anti-BJP ଥିବା ବେଳେ ଉତ୍ତର ଭାରତ Pro-BJP । କିନ୍ତୁ ବର୍ତ୍ତମାନର ସରକାରଙ୍କ ଇଚ୍ଛା ଅନୁସାରେ ଯଦି ସୀମା ପୁନଃ ନିର୍ଦ୍ଧାରଣ ବାସ୍ତବ ରୂପ ନିଏ, ତେବେ ଆଗାମୀ ନିର୍ବାଚନରେ ଦକ୍ଷିଣ ଭାରତର ବିନା ସହଯୋଗରେ, କେନ୍ଦ୍ରରେ ବିଜେପି ସରକାର ଗଠନ ବେଶ ସହଜ ହୋଇଯିବ । କାରଣ ଉତ୍ତର ଭାରତରୁ ମିଳିବ ଫୁଲ୍ ଦମରେ ସମର୍ଥନ ।…

() ଦକ୍ଷିଣ ଭାରତ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଲେ ଉତ୍ତର ଭାରତୀୟ ଲୋକେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହେବା ନିଶ୍ଚିତ । କାରଣ ଦକ୍ଷିଣ ଭାରତରେ ଥିବା ଉତ୍ତର ଭାରତୀୟମାନେ ସେମାନଙ୍କ କର୍ମସଂସ୍ଥାନ ହରାଇବେ । ଏହା ଆଞ୍ଚଳିକ ବିଭେଦ ମଧ୍ୟ ସୃଷ୍ଟି କରିପାରେ । ଯଦି ସରକାରଙ୍କ ଇଚ୍ଛା ଅନୁସାରେ ସୀମା ପୁନଃ ନିର୍ଦ୍ଧାରଣ ହୁଏ, ତେବେ ନେତାଙ୍କ ସଂଖ୍ୟା ଖୁବ ବଢ଼ିଯିବ । ନିର୍ବାଚନ ମଣ୍ଡଳୀ ବଦଳି ଯିବ, କିନ୍ତୁ ଜିଲ୍ଲା ନୁହେଁ । ଜିଲ୍ଲାରେ ଜଣେ ଜିଲ୍ଲାପାଳ ଏବଂ ଜଣେ ଏସପି ହିଁ ରହିବେ । କାରଣ ଜନସଂଖ୍ୟା ଆଧାରରେ ସାଂସଦ ବା ନେତାଙ୍କ ସଂଖ୍ୟା ସିନା ବଢ଼ିବ, କିନ୍ତୁ ବଢ଼ିବନି ଜିଲ୍ଲାରେ ଜିଲ୍ଲାପାଳ କିମ୍ବା ଏସପିଙ୍କ ସଂଖ୍ୟା । ତେଣୁ ଏଠି କେବଳ ରାଜନୈତିକ ଫାଇଦାକୁ ହିଁ ନଜରରେ ରଖାଯାଇଛି । ଲୋକଙ୍କ ପାଇଁ ପ୍ରାଶାସନିକ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନି । …

() ୨୦୨୩ରେ ଯେତେବେଳେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆସିଥିଲା, ସେତେବେଳେ କୁହା ଯାଇଥିଲା ଯେ, ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ସେତେବେଳେ ମହିଳା ସଂରକ୍ଷଣ ବିଲ୍ ମୁଖ୍ୟ ଥିବା ବେଳେ ତା ସହ ଯୋଡ଼ା ଯାଇଥିଲା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ । ଯାହାକି ସେତେବେଳେ ଗୌଣ ଥିଲା । କିନ୍ତୁ ଏବେ ସେହି ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ଆଣିବାକୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ଅଣାଯାଇଛି । ଯେଉଁଥି ପାଇଁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକା ଯାଇଛି । ଆଉ ଏବେ ସେଥିରେ ଯୋଡ଼ା ଯାଇଛି ସେହି ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ । ଏବେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ମୁଖ୍ୟ ଲାଗୁଥିବା ବେଳେ ମହିଳା ସଂରକ୍ଷଣ ପ୍ରସଙ୍ଗ ଅପେକ୍ଷାକୃତ ଗୌଣ ଲାଗୁଛି । ୨୦୨୩ରେ ଯେତେବେଳେ ମହିଳା ସଂରକ୍ଷଣ ବିଲ୍ ଅଣା ଯାଇଥିଲା, ସେତେବେଳେ ଆଉ ଗୋଟେ କଥା ମଧ୍ୟ କୁହାଯାଇ ଥିଲା । ପରବର୍ତ୍ତୀ ଜନଗଣନା ହେବା ପରେ ହିଁ ସୀମା ପୁନଃ ନିର୍ଦ୍ଧାରଣ ହେବ । ୨୦୨୭ରେ ଜନଗଣନା ହେବ ବୋଲି ସରକାର କହିଥିଲେ । କିନ୍ତୁ ତା ପୂର୍ବରୁ ଅଣାଯାଉଛି ସୀମା ପୁନଃ ନିର୍ଦ୍ଧାରଣ ବିଲ୍ । ତାହା ପୁଣି ୨୦୧୧ର ଜନଗଣନା ଆଧାରରେ । ଯେତେବେଳେ କି ୨୦୧୧ ଜନଗଣନାରେ ପଛୁଆ ଏବଂ ଅତି ପଛୁଆ ବର୍ଗଙ୍କ ସଠିକ ସୂଚନା ନାହିଁ । ପୁଣି ଦେଖିବାକୁ ଗଲେ ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ବେଳେ… କହିଲେ ଦେଖି, ଏସବୁ ରାଜ୍ୟର ଲୋକସଭା ସାଂସଦମାନେ ସେମାନଙ୍କ ନିଜ ନିଜ ଦଳର ପ୍ରଚାର କରିବେ ନା ସଂସଦର ସ୍ବତନ୍ତ୍ର ଅଧିବେଶନରେ ସାମିଲ ହେବେ ! ଏହା କଣ ନିର୍ବାଚନ ପରିଚାଳନାର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନି ! ୨୦୨୧ ବେଳେ ଦେଶରେ ଜନଗଣନା ହେବାର ଥିଲା । କିନ୍ତୁ ସେତେବେଳେ କୋରୋନା କଥା କହି ଟାଳି ଦିଆ ଯାଇଥିଲା । କିନ୍ତୁ କୌଣସି ରାଜ୍ୟର ନିର୍ବାଚନକୁ ନୁହେଁ । ଏଭଳି ସ୍ଥିତିରେ ସେତେବେଳର ଜନଗଣନାକୁ ଟାଳିବା ଏବଂ ଏବେର ସୀମା ପୁନଃ ନିର୍ଦ୍ଧାରଣ ମଧ୍ୟରେ କିଛି Link ରହୁନି ତ !…

() ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ଶୈଳୀକୁ ବିରୋଧୀ ଯେତେ ବିରୋଧ କଲେ ବି କିଛି କରିପାରିବେ ନାହିଁ । କାରଣ ଆଗରୁ ଅପରାଧିକ ଆଇନ ସଂଶୋଧନ ହେଉ ବା କୃଷି ଆଇନ… ହେଉ ଅବା ଶ୍ରମ ଆଇନ, ସରକାର ଯେମିତି ଚାହିଁଛନ୍ତି ସେମିତି ପାରିତ କରାଇ ନେଇଛନ୍ତି । ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯାଇ ଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି କରିପାରି ନାହାଁନ୍ତି । ପୁଣି ଅପରାଧିକ ଆଇନ ସଂଶୋଧନ ବେଳେ ବିଶ୍ବ ରେକର୍ଡ ପୂର୍ବକ ୧୪୭ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ସେତେବେଳେ ମଧ୍ୟ ସୁପ୍ରିମକୋର୍ଟ ସବୁ ଦେଖି ନିରବ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ପୁନଃ ସୀମା ନିର୍ଦ୍ଧାରଣ ବିଲ୍, କେବଳ ସରକାରଙ୍କ ଇଚ୍ଛାର ସୀମା ପୂରଣ କରିବନି, ବରଂ ବିଜେପିର ରାଜନୈତିକ ସୀମାକୁ ସବୁଦିନ ପାଇଁ ଅସୀମିତ କରିଦେବ ।…  
() ଉତ୍ତର ଭାରତଠାରୁ ଦକ୍ଷିଣ ଭାରତ, କେନ୍ଦ୍ରକୁ ଅଧିକ ଟାକ୍ସ ଦେଉଛି । ଉତ୍ତର ଭାରତର ଅଧିକାଂଶ ଲୋକ, ଦକ୍ଷିଣ ଭାରତ ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ । କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ କରି ନିଜ ନିଜର ଆର୍ଥିକ ବିକାଶ ଘଟାଇ ଥିବାରୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ବୋଧେ ଏବେ ଏମିତି କିଛି ପୁରସ୍କାର ମିଳିବାକୁ ଯାଉଛି… ଏହା କେବଳ ଦକ୍ଷିଣ ଭାରତ ପାଇଁ କାହିଁକି… ଏହା ସାମଗ୍ରୀକ ଭାବେ ସାରା ଭାରତ ପାଇଁ, ଏବଂ ପ୍ରତିଟି ଭାରତୀୟଙ୍କ ପାଇଁ ମଧ୍ୟ ।…

Leave a Reply

Your email address will not be published. Required fields are marked *