କଙ୍କାଳ… କାହା ପାଇଁ କାଳ ତ, କାହା ପାଇଁ ଫଳ

ETBUREAU: କଙ୍କାଳ... କାହା ପାଇଁ କାଳ ତ, ଆଉ କାହା ପାଇଁ ଫଳ । କେନ୍ଦୁଝର ଜିଲ୍ଲାରେ ଡିଆନାଳୀ ବୋଲି ଗାଁଟେ ଅଛି ବୋଲି ଓଡ଼ିଶାର ସବୁ ଲୋକେ ଜାଣିଥିଲେ ତ !  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାର ଏହି ଗାଁରେ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଥିଲେ ବୋଲି କେନ୍ଦୁଝର ଜିଲ୍ଲାର ସବୁ ଲୋକେ ଜାଣିଥିଲେ ତ ! ପ୍ରାୟ ୨ ମାସ ତଳେ ଜିତୁ ମୁଣ୍ଡାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଥିବା କେତେ ଜଣ ଜାଣିଥିଲେ ? କିନ୍ତୁ ଜିତୁ ମୁଣ୍ଡାଙ୍କ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଥିଲା ଏବେ ପ୍ରାୟ ସମସ୍ତଙ୍କୁ ଜଣା । ... ସମସ୍ତଙ୍କୁ ଜଣା, ଭାରତବର୍ଷର... ଓଡ଼ିଶା ନାମକ ଏକ ରାଜ୍ୟର... ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ Home District କେନ୍ଦୁଝର ଜିଲ୍ଲାରେ, ନିଜ ଆକାଉଣ୍ଟରେ ରଖିଥିବା ୧୯ ହଜାର ୫ ଶହ ଟଙ୍କା ନେବାକୁ ବ୍ୟାଙ୍କକୁ ଆସିଥିଲା କଙ୍କାଳ ।...

(୨) ସରକାରଙ୍କ ପ୍ରାଶାସନିକ ବ୍ୟବସ୍ଥା ଭିତରେ ଆଞ୍ଚଳିକ ଉନ୍ନୟନ କମିଶନର ବା ଆରଡିସି ଏକ ପଦବୀ ବୋଲି ଜିତୁ ମୁଣ୍ଡାଙ୍କୁ ଜଣାଥିଲା କି ! ନା ଏବେ ପଚାରିଲେ, ତାଙ୍କ ଘରକୁ ଯେଉଁ ଅଧିକାରୀ ଜଣକ ଆସିଥିଲେ, ସେ ଆରଡିସି ବୋଲି ଜିତୁ କହିପାରିବେ ! ନା, ଜିତୁ ମୁଣ୍ଡାଙ୍କ କଙ୍କାଳ ବୁହା ଖବର ସାମ୍ନାକୁ ଆସିବା ପୂର୍ବରୁ ଆରଡିସିଙ୍କୁ ଜଣାଥିଲା କି କେନ୍ଦୁଝର ଜିଲ୍ଲାରେ ଡିଆନାଳୀ ନାଁରେ ଗୋଟେ ଗାଁ ଅଛି ବୋଲି ! କିନ୍ତୁ ଏବେ ସବୁଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ Home District କେନ୍ଦୁଝର ଜିଲ୍ଲାର ଡିଆନାଳୀ ଗାଁକୁ ନେଇ ଚର୍ଚ୍ଚା... ଜିତୁ ମୁଣ୍ଡାଙ୍କୁ ନେଇ ଚର୍ଚ୍ଚା... ଦୁଇ ମାସ ତଳେ ମରି ପୋତା ହେବା ପରେ କଙ୍କାଳ ହୋଇ ସାରିଥିବା ତାଙ୍କ ଭଉଣୀଙ୍କୁ ନେଇ ଚର୍ଚ୍ଚା... ସେହି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା... ସେହି ଡିଜିଟାଲ୍ ଇଣ୍ଡିଆକୁ ନେଇ ଚର୍ଚ୍ଚା... 
(୩) ଏଠି ପ୍ରଥମ ଏବଂ ସବୁଠାରୁ ବଡ଼ ଭୁଲ ହେଉଛି ସେହି ସଂପୃକ୍ତ ବ୍ୟାଙ୍କର ସଂପୃକ୍ତ ମ୍ୟାନେଜରଙ୍କର । ସେ ତାଙ୍କ ବ୍ୟାଙ୍କିଙ୍ଗ ନିୟମ ଅନୁସରଣ କରିଛନ୍ତି ସତ, କିନ୍ତୁ ଗରିବ ମଳିମୁଣ୍ଡିଆ ଜିତୁ ମୁଣ୍ଡା, ତାଙ୍କ ବ୍ୟାଙ୍କର ଗ୍ରାହକ ହୋଇଥିଲେ ମଧ୍ୟ ତାଙ୍କୁ ସଠିକ ବ୍ୟବହାର କରି ନାହାଁନ୍ତି । ତାଙ୍କ ଭଉଣୀ ମରି ଯାଇଛନ୍ତି ବୋଲି ଜିତୁ ଯେତେବେଳେ କହିଲେ, ସେତେବେଳେ ମ୍ୟାନେଜର ତାଙ୍କୁ ବୁଝାଇ ପାରିଥାନ୍ତେ ମୃତ୍ୟୁ ପ୍ରମାଣପତ୍ର କେଉଁଠାରୁ ଏବଂ କିପରି ମିଳିବ । ଯଦି ସଂପୃକ୍ତ ମ୍ୟାନେଜର ଜିତୁଙ୍କୁ ବୁଝାଇ ଦେଇଥାନ୍ତେ, ତେବେ କଥା ଏବେ ବାଟ ଆସି ନଥାନ୍ତା କି, ୨୦୧୬ର ଦାନ ମାଝୀ ଘଟଣା ଭଳି ପୁଣି ଥରେ ଓଡ଼ିଶା ଜାତୀୟ ଏବଂ ଅନ୍ତର୍ଜାତୀୟ ନିନ୍ଦିତ ହୋଇ ନଥାନ୍ତା ।...  
(୪) ଛାଡ଼ନ୍ତୁ ସେ କଥା, ଜିତୁ ମୁଣ୍ଡା ଯେତେବେଳେ ମଶାଣିରେ ତାଙ୍କ ଭଉଣୀଙ୍କ ମୃତଦେହକୁ ପୋତିଥିବା ଜାଗାକୁ ଖୋଳୁଥିଲେ, କେହି ଜଣେ ବି କଣ ଦେଖି ନଥିଲେ ! କାହିଁକି ତାଙ୍କୁ ବାରଣ କରି ନଥିଲେ ! କାହିଁକି ତାଙ୍କୁ କହିପାରି ନଥିଲେ ଯେ, ମଶାଣି ଖୋଳି ଶବ ବାହାର କରିବା ଦରକାର ନାହିଁ, ସରକାରୀ ସ୍ତରରେ ତାଙ୍କ ଭଉଣୀଙ୍କ ମୃତ୍ୟୁର ପ୍ରମାଣପତ୍ର ବାହାର କରିଦେଇ ହେବ ବୋଲି ! ଏଠି ଅଶିକ୍ଷା ଦାୟୀ ନୁହେଁ ତ, ଆଉ କିଏ !...
(୫) ବ୍ୟାଙ୍କକୁ ଜିତୁ ମୁଣ୍ଡାଙ୍କ କଙ୍କାଳ ବୁହା ଘଟଣା, ରାଜ୍ୟ ରାଜନୀତିକୁ ଗରମ କରିଛି । ଶାସକ ବିଜେପିକୁ ଘେରିଛି ବିଜେଡି । ନିଜେ ୨୦୧୬ରେ ମୁଖ୍ୟମନ୍ତ୍ରୀ ଥିବା ବେଳେ, ପୁଣି କେନ୍ଦ୍ରୀୟ ଯୋଜନାର ୧୦୮ ଆମ୍ବୁଲାନ୍ସରେ, ନିଜ ଦଳ ଓ ସରକାରର ପୋଷ୍ଟର ମାରି ବାଃ ବାଃ ନେଉଥିବା ବିଜେଡି ସୁପ୍ରିମୋ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜିତୁ ମୁଣ୍ଡାଙ୍କୁ ନେଇ ସ୍ବର ତୀବ୍ର କରିଛନ୍ତି । ବ୍ୟାଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନରେ ଆସୁଥିବାରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି ସେ । କିନ୍ତୁ ୨୦୧୬ରେ ଦାନ ମାଝୀ ତାଙ୍କ ସ୍ତ୍ରୀଙ୍କ ଶବ କାନ୍ଧରେ ବୋହିବା ଘଟଣାରେ ତ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପତ୍ର ଲେଖି ନଥିଲେ ନବୀନ ! ୨୪ ବର୍ଷ ଧରି ସେ ଯେଉଁ ରାଜ୍ୟର ସେ ମୁଖିଆ ଥିଲେ, ତାଙ୍କୁ ଜଣାଥିଲା ତ କେନ୍ଦୁଝର ଜିଲ୍ଲାରେ ଡିଆନାଳୀ ବୋଲି ଗାଁଟିଏ ଅଛି ବୋଲି ! ଏବେ କିନ୍ତୁ ଜିତୁ ମୁଣ୍ଡାଙ୍କ ଖବରକୁ ନେଇ ଶାସକ ଦଳକୁ ସେ କରିଛନ୍ତି ଜୋରଦାର ଆକ୍ରମଣ । ନବୀନଙ୍କ ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ବାସିନ୍ଦା ବଦ୍ରି ନାରାୟଣ ପାତ୍ର ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇଥିଲେ । କିନ୍ତୁ ୨୪ ବର୍ଷର ବିଜେଡି ଶାସନ ଅମଳ ଦେଖିଥିବା ଜିତୁ ମୁଣ୍ଡା, ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସାଧାରଣ ପ୍ରକ୍ରିୟାକୁ କାହିଁକି ବୁଝି ପାରିଲେନି, ତାହା ବଦ୍ରି ପାତ୍ର ମହୋଦୟ ବୁଝିଛନ୍ତି ତ ! ଏଥିପାଇଁ କେବଳ ଅଶିକ୍ଷା ହିଁ ଦାୟୀ... କାହିଁକି ବିଜେଡିର ୨୪ ବର୍ଷର ଶାସନ କାଳ ମଧ୍ୟରେ ଡିଆନାଳୀ ଗାଁର ଜିତୁ ମୁଣ୍ଡା ଏତେ ଶିକ୍ଷିତ ହୋଇପାରିଲେ ନାହିଁ ! କିନ୍ତୁ ୨୦୧୬ରେ ଦାନ ମାଝୀ ଘଟଣାରେ Defecsive Modeରେ ଥିବା ବିଜେଡି, ଏବେ ଜିତୁ ମୁଣ୍ଡା ଖବରକୁ ନେଇ ବିଜେପି ବିରୋଧରେ ଭଲ ରକମ Attacking Modeରେ ।...

(୬) ୨୦୧୬ର ଦାନ ମାଝୀ ଘଟଣାକୁ ନେଇ ସେତେବେଳର ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାରକୁ ବେଶ ଭଲ ରକମ ଟାର୍ଗେଟ କରିଥିଲେ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କିନ୍ତୁ ଜିତୁ ମୁଣ୍ଡାଙ୍କ କଙ୍କାଳ ବୁହା ଖବରକୁ ନେଇ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କରିବା କେହି ଦେଖିଲେଣି କି ! ରାଜ୍ୟ ବିଜେପି ଏବଂ ରାଜ୍ୟ ସରକାର କିନ୍ତୁ ଜିତୁ ମୁଣ୍ଡାଙ୍କ ଖବରକୁ Down Play କରିବାକୁ ୨୦୧୬ର ଦାନ ମାଝୀ ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି । କିନ୍ତୁ ସେତେବେଳେ ବିରୋଧୀ ଭୂମିକାରେ ଥିବା ବିଜେପି କାହିଁକି ବର୍ତ୍ତମାନର ନବୀନଙ୍କ ଭଳି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପତ୍ର ଲେଖି ନଥିଲା, ଏବେ ଯେମିତି ନବୀନ ଲେଖିଛନ୍ତି ! ସେତେବେଳେ କେନ୍ଦ୍ରକୁ ନା ପତ୍ର ଲେଖିଥିଲେ ନବୀନ ନା ସେତେବେଳର ବିରୋଧୀ ବିଜେପି । କିନ୍ତୁ ଜିତୁ ମୁଣ୍ଡାଙ୍କ ଖବରକୁ ଚାପି ଦେବାକୁ, ଦାନ ମାଝୀ ପ୍ରସଙ୍ଗକୁ ମାଧ୍ୟମ କରି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ଶାସକ ବିଜେପି । ଅଶିକ୍ଷା ଯେ, ପୂରା ଘଟଣା ପାଇଁ ଦାୟୀ ତାହା ବିଜେପି ବି ବୁଝିବାକୁ ଚେଷ୍ଟା କରୁନି ।...
(୭) ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବି ଜିତୁ ମୁଣ୍ଡାଙ୍କ ଗାଁ ଡିଆନାଳୀକୁ ଯାଇଥିଲେ । ଡିଆନାଳୀ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ Home District ହେଉଛି କେନ୍ଦୁଝର । ଉଭୟ ରାଜନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପଟ୍ଟନାୟକ ପରିବାର ରାଜ୍ୟରେ ଶୀର୍ଷସ୍ତରରେ ଅଛନ୍ତି । ଯାହା ପଛରେ ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାର ଅବଦାନ କେତେ ରହିଛି, ତାହା ରାଜ୍ୟବାସୀ ଜାଣିଛନ୍ତି । ଯେଉଁ ଜିଲ୍ଲାର ଖଣିଜ ସମ୍ପଦ ତାଙ୍କୁ ଏତେ ଉଚ୍ଚକୁ ନେଇଛି, ସେହି ଜିଲ୍ଲାର ଲୋକଙ୍କ ଆର୍ଥିକ, ସାମାଜିକ ଓ ଶୈକ୍ଷିକ ବିକାଶ ପାଇଁ ପଟ୍ଟନାୟକ ପରିବାର କଣ କରିଛନ୍ତି ! କଂଗ୍ରେସ ସରକାର ଅମଳର, ନିରଞ୍ଜନ Powerful ଥିଲେ । ହେଲେ ଜିତୁ ମୁଣ୍ଡାଙ୍କ ଉପରେ କାହିଁକି ଶିକ୍ଷାର ଆଲୋକ ପଡ଼ି ପାରିଲା ନାହିଁ । ସାଧାରଣ ମୌଳିକ ଶିକ୍ଷାରୁ ସେ ଏମିତି ବଞ୍ଚିତ କେମିତି ହେଲେ ! କାହିଁକି ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସାଧାରଣ ପ୍ରକ୍ରିୟାକୁ ବୁଝିପାରିଲେ ନାହିଁ ! କାହିଁକି ମ୍ୟାନେଜରଙ୍କୁ କାଉଣ୍ଟର କରିପାରିଲେ ନାହିଁ ! ଏହାର ଏକମାତ୍ର କାରଣ ହେଉଛି, ବ୍ୟବସ୍ଥାର ସାଧାରଣ ପ୍ରକ୍ରିୟାକୁ ବୁଝିବାକୁ ସେ ଅସମର୍ଥ । କାରଣ ଶିକ୍ଷାର ଅଭାବରୁ ତାଙ୍କ ବୁଦ୍ଧି ଓ ବିଚାର ଶକ୍ତିର ସେଭଳି ବିକାଶ ହୋଇପାରିନି । କଂଗ୍ରେସ କିନ୍ତୁ ଜିତୁ ମୁଣ୍ଡା ପ୍ରସଙ୍ଗ ସହ ୨୦୧୬ର ଦାନ ମାଝୀ ଘଟଣାକୁ ଗୁନ୍ଥି, ଏକା ଥରକେ ବିଜେଡି ଓ ବିଜେପିକୁ କରୁଛି ଟାର୍ଗେଟ । କେନ୍ଦୁଝର ଜିଲ୍ଲାର ପଡ଼ୋଶୀ ଜିଲ୍ଲା ହେଉଛି ମୟୂରଭଞ୍ଜ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ସରକାରଙ୍କ CAG ଗିରୀଶ ମୁର୍ମୁଙ୍କ ଘର କେନ୍ଦୁଝରକୁ ଲାଗିକରି ଥିବା ମୟୂରଭଞ୍ଜ ଜିଲ୍ଲାରେ ।... 
(୮) ଶବକୁ ନେଇ ରାଜନୈତିକ ଟଣା-ଓଟରା ଆମ ଦେଶରେ କିଛି ନୂଆ ନୁହେଁ । ଏମିତି ସବୁଦିନ ଚାଲୁଥିବ । କାରଣ ଚର୍ଚ୍ଚିତ ଶବ ବା କଙ୍କାଳ, ସବୁବେଳେ କାହା ପାଇଁ କାଳ ତ, କାହା ପାଇଁ ଫଳ । ଏଇ ଯେମିତି ୨ ମାସ ତଳେ ମରି ସାରିଥିବା ଜିତୁଙ୍କ ଭଉଣୀ, ଭାଇର ବକେୟା ଋଣ ଶୁଝିବାକୁ ମାଟିତଳୁ କଙ୍କାଳ ହୋଇ ବାହାରିଲେ । ବଞ୍ଚିଥିଲା ବେଳେ ଏ ଦୁନିଆ ତାଙ୍କୁ ଜାଣି ନଥିଲା, କିନ୍ତୁ ମୃତ୍ୟୁର ୨ ମାସ ପରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ । ନିଜ ଭାଇ ଜିତୁ ମୁଣ୍ଡାଙ୍କୁ ବି ସେହି ସ୍ତରକୁ ନେଇ ଯାଇଛନ୍ତି । ଯେଉଁଥି ପାଇଁ ତାଙ୍କ ଉପରେ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ଏବଂ ସରକାରଙ୍କ ତରଫରୁ ହେଉଛି ଆର୍ଥିକ ସହାୟତାର ବର୍ଷା । ଖାସ ସେଇଥି ପାଇଁ ବୋଧେ କଥାରେ ଅଛି, "କାଲି କିଏ ଦେଖିଛି" !...
(୯) ଜିତୁ ଚାହିଁଲେ ଏବେଠୁ ତାଙ୍କର, ତାଙ୍କ ପରିବାରର ଏବଂ ତାଙ୍କ ଗାଁର ଭାଗ୍ୟ ବଦଳାଇ ଦେଇପାରିବେ । କିନ୍ତୁ କେବେ ବି ପାରିବେନି... କାରଣ ଶିକ୍ଷା ଅଭାବରୁ ତାଙ୍କଠାରେ ବୁଦ୍ଧି ଓ ବିଚାର ଶକ୍ତି ନାହିଁ । ଏଥିପାଇଁ ସେ ଦାୟୀ ନୁହଁନ୍ତି... ଦାୟୀ ଆମ ବ୍ୟବସ୍ଥା, ଆମ ସରକାର । ସେ, ପୂର୍ବର କଂଗ୍ରେସ ସରକାର ହେଉ ବା ବିଜେଡି, ହେଉ ଅବା ବର୍ତ୍ତମାନର ବିଜେପି ସରକାର । ସେ ଦାନ ମାଝୀ ହୁଅନ୍ତୁ ବା ଜିତୁ ମୁଣ୍ଡା... ଏମାନଙ୍କ ଏଭଳି ସ୍ଥିତି ପାଇଁ କିଏ ଦାୟୀ... ଆପଣମାନେ ଚିନ୍ତା କରନ୍ତୁ, ଉତ୍ତର ନିଶ୍ଚିତ ଆପଣଙ୍କୁ ମିଳିଯିବ । "ପିପଲି ଲାଇଭ୍" ଶୈଳୀରେ ତଥାକଥିତ ଗୋଦି ମିଡିଆର "ଡିଆନାଳୀ ଲାଇଭ୍" ପ୍ରସାରଣରେ ଆଦୌ ଭରସା ଓ ବିଶ୍ବାସ କରନ୍ତୁନି । ସେମାନେ ପ୍ରସଙ୍ଗର ମଙ୍ଗ ମୋଡ଼ିଦେଇ, ପକେଟ୍ ଗରମ କରି ବସିପଡ଼ିବେ । ଆଉ ଦାନ ମାଝୀଙ୍କ ଭଳି ଜିତୁ ମୁଣ୍ଡା ମଧ୍ୟ ଧୀରେ ଧୀରେ ଚର୍ଚ୍ଚାରୁ ହଟିଯିବେ ।...

Leave a Reply

Your email address will not be published. Required fields are marked *